ଭୁବନେଶ୍ବର: ଶଙ୍ଖ ଭବନରେ ହୋଇଥିବା କନ୍ଦଳ ଥମିବା ନାଁ ଧରୁନି। ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବା ପରେ ସେମାନେ ଲିଖିତ କାରଣ ଦର୍ଶାଇ ସାରିଛନ୍ତି। ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି। ଦଫା ଦଫାରେ ବାଇଁଆ-ଲିଟୁ ବିରୋଧୀ କର୍ପୋରେଟରଙ୍କ ବୈଠକ ବସୁଛି। ୨୯ କର୍ପୋରେଟର ଏକ ସଙ୍ଗରେ ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ହେଲେ ନା କାର୍ଯ୍ୟାନୁଷ୍ଠାନ ହେଉଛି ନା ବୁଝାମଣା ହେଉଛି। ଯାହା ଫଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ବିଭିନ୍ନ ସମୟରେ ପୁରୀ ସମେତ ବିଭିନ୍ନ ଜାଗାରେ ମେଳି କରିଥିବା କର୍ପୋରେଟରମାନେ ଆଜି ଲକ୍ଷ୍ମୀସାଗରରେ ପୁଣି ଥରେ ମେଳି କରିଛନ୍ତି। ପ୍ରସାଦ ସେବନ ଆଳରେ ଆମୂଳଚୁଳ ଆଲୋଚନା ହୋଇଛି। ଏଥିରେ କର୍ପୋରେସନରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ମଧ୍ୟ କତା ଉଠିଛି। ହେଲେ ସଂଖ୍ୟାଧିକ କର୍ପୋରେଟର ବିରୋଧ କରିବାରୁ ଏହି ପ୍ରସ୍ତାବ ପ୍ରତ୍ୟାହୃତ ହୋଇଛି। 

Advertisment

ଆଜି ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର ୨୯ କର୍ପୋରେଟରଙ୍କ ସମେତ କେତେକ ବରିଷ୍ଠ ନେତା ଲକ୍ଷ୍ମୀସାଗରରେ ଏକାଠି ହୋଇଥିଲେ। ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ବୈଠକ ବସିଥିଲା। ସେଠାରେ ଶଙ୍ଖଭବନର ଗଣ୍ଡଗୋଳ ନେଇ ଆଲୋଚନା ହୋଇଥିଲା। ବାଇଁଆ-ଲିଟୁ ବିଶୃଙ୍ଖଳା କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ସେମାନେ କାରଣ ମଧ୍ୟ ଦର୍ଶାଇ ସାରିଛନ୍ତି। ସମସ୍ତ ୨୯ କର୍ପୋରେଟର ନବୀନ ନିବାସ ଯାଇ ସଭାପତିଙ୍କୁ ସମସ୍ତ କଥା କହିଥିଲେ। ହେଲେ ଏ ଯାବତ୍‌ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ୨୯ କର୍ପୋରେଟର ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ବରିଷ୍ଠ ନେତାଙ୍କ ଅନୁରୋଧରେ ଇସ୍ତଫା ଦେଇ ପାରୁ ନାହାନ୍ତି। ଏଣେ କାର୍ଯ୍ୟାନୁଷ୍ଠାନ ହେଉନି।

କୌଣସି ବରିଷ୍ଠ ନେତା ମୁଣ୍ଡ ପୁରାଉ ନାହାନ୍ତି। ମେୟର ବି ଏମାନଙ୍କ ସହ ନାହାନ୍ତି ବରଂ ଉଭୟ ବାଇଁଆ-ଲିଟୁଙ୍କ ସହ ଅଛନ୍ତି। ଗତ କର୍ପୋରେସନ ବୈଠକ ଏହି କର୍ପୋରେଟରମାନେ ବର୍ଜନ କରିବାରୁ ଲୋକଙ୍କ କଥା ମଧ୍ୟ ସେମାନେ ବୈଠକରେ ଉଠାଇ ପାରି ନାହାନ୍ତି। ଅର୍ଥାତ୍‌ ଏହି ଘଟଣାର ବିଭିନ୍ନ ସ୍ତରରେ ପ୍ରଭାବ ପଡ଼ିଛି। ଫଳରେ ଏକ ବିଚିତ୍ର ସ୍ଥିତିରେ ଏହି କର୍ପୋରେଟରମାନେ ରହିଛନ୍ତି। ଏଭଳି ସ୍ଥିତିରେ କେହି ଜଣେ ମେୟରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତାବ ଦେବାରୁ କର୍ପୋରେଟରମାନେ ତୀବ୍ର ବିରୋଧ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନି। ତେବେ ଆସନ୍ତା ୩୦ ତାରିଖରେ କର୍ପୋରେସନ ବୈଠକ ରହିଛି। ଏଥିରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ନେଇ କିଭଳି ପ୍ରସ୍ତାବ ରଖି ହେବ ସେ ନେଇ ଆଲୋଚନା ହୋଇଛି। ତେବେ ଏ ନେଇ କୌଣସି କର୍ପୋରେଟର ମୁହଁ ଖୋଲି ନାହାନ୍ତି।