ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। ବିଶେଷକରି କଲରାପତରିଆଙ୍କ କାଳ ପାଲଟଛନ୍ତି ଶିକାରୀ, ମାଫିଆ। ଦେଶ, ବିଦେଶରେ ବାଘ ଛାଲର ଚାହିଦା ଯଥେଷ୍ଟ ଥିବାରୁ ରକ୍ତମୁଖା ହୋଇପଡ଼ିଛନ୍ତି ଶିକାରୀ। ଲକ୍ଷାଧିକ ଟଙ୍କାରେ ଚାଲାଣ କରୁଛନ୍ତି ମାଫିଆ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୌଦ୍ଧ ମନମୁଣ୍ଡାରେ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି। ଅଭିଯୁକ୍ତ ହେଲା, ବୌଦ୍ଧ ମନମୁଣ୍ଡା ଥାନା ବାଦଲଗୁଡ଼ାର ମହେନ୍ଦ୍ର ଭାଇନା। ଏହି ବାଘଛାଲକୁ ବିକ୍ରି କରିବା ପାଇଁ ୨ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଏସଟିଏଫ୍ ଜାଣିବାକୁ ପାଇଛି। ଏସଟିଏଫ୍ ସୂଚନା ଅନୁସାରେ, ମହେନ୍ଦ୍ର ଗତକାଲି ମନମୁଣ୍ଡା ଥାନା ବନ୍ଧନଝୁଲି ନିକଟରେ ଛିଡ଼ା ବାଘ ଛାଲ ବିକ୍ରି ପାଇଁ ଛିଡ଼ା ହୋଇଥିଲା। ଏ ସମ୍ପର୍କରେ ଏସ୍ଟିଏଫ୍କୁ ସୂଚନା ମିଳିଥିଲା।
ଏସ୍ଟିଏଫ୍ର ଗୋଟିଏ ଟିମ୍ ସେଠାରେ ଡେରା ପକାଇଥିଲା। ମହେନ୍ଦ୍ର ଯାଉଥିବା ସମୟରେ ତାକୁ ଉଠାଇ ନେଇଥିଲା। ଏ ସଂକ୍ରାନ୍ତରେ ଏସ୍ଟିଏଫ୍ରେ ଏକ ମାମଲା ରୁଜୁ ହୋଇଛି। ଏବେ ସୁଦ୍ଧା ଏସଟିଏଫ୍ ୧୪ଟି କଲରାପତରିଆ ବାଘ ଛାଲ, ୯ହାତୀ ଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି, ୨ ହରିଣ ଚମଡ଼ା ଜବତ କରିଛି। ବନ୍ୟପ୍ରାଣୀ ଚୋରାଚାଲାଣ ସଂକ୍ରାନ୍ତରେ ୧୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୮ ଜଣଙ୍କୁ ଗିରଫ କରାଯାଇଛି। ନିୟମିତ ବନ୍ୟଜନ୍ତୁ ଶିକାର ଏବଂ ଚୋରାଚାଲାଣ ହେଉଥିଲେ ମଧ୍ୟ ବନ ବିଭାଗ କେମିତି ଖବର ପାଉନି, ତାକୁ ନେଇ ପ୍ରଶ୍ନ ଉଠିଛି।