ବାରଙ୍ଗ : ପର୍ଯ୍ୟଟକଙ୍କ ପାଇଁ ସପ୍ତାହରେ ୩ ଦିନ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ସଂକ୍ରମଣର ଚେନ୍‌ ଭାଙ୍ଗିବା ପାଇଁ ରାଜ୍ୟ ସରକାର ସପ୍ତାହାନ୍ତ (ଶନି ଓ ରବିବାର) ସଟ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ପୂର୍ବବତ୍‌ ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ। ସପ୍ତାହକୁ ୩ ଦିନ ବନ୍ଦ ରହିଲେ ନନ୍ଦନକାନନ ରାଜସ୍ବ ଆଦାୟ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

Advertisment

ଗତବର୍ଷ କୋଭିଡ୍‌ କଟକଣା ଲାଗି ମାର୍ଚ୍ଚ ୩ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦୀର୍ଘ ୧୦ ମାସ ବନ୍ଦ ରହିବା ଯୋଗୁଁ ନନ୍ଦନକାନନକୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା। ତେବେ ଖୋଲିବା ପରଠାରୁ ଅବସ୍ଥାରେ ଧୀରେଧୀରେ ସୁଧାର ଆସିଥିଲା। ଟିକେଟ୍‌ ବିକ୍ରି ବାବଦକୁ ହୋଇଥିବା ରାଜସ୍ବ ଆଦାୟ ମଧ୍ୟ ବୃଦ୍ଧି ପାଉଥିଲା। ଏବେ କରୋନାର ଦ୍ବିତୀୟ ଲହର ଯୋଗୁଁ ଗତ କିଛି ଦିନ ହେବ ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇଛି। ଏହା ସାଙ୍ଗକୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ଫଳରେ ଆହୁରି ରାଜସ୍ବ କମିବ ବୋଲି ଆଶଙ୍କା ପ୍ରକାଶ ପାଇଛି।