ଇସ୍ତଫା ଦେଇ ଆନ୍ଧ୍ର ରାଜ୍ୟପାଳ କୋଟିଆ ଆନ୍ଦୋଳନରେ ସାମିଲ ହୁଅନ୍ତୁ : ଆମ ଅଧିକାର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ବିଜେପି ପର୍ଯ୍ୟଟନ ରାଜନୀତି ବନ୍ଦ କରୁ ଏବଂ ଆନ୍ଧ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ବିଶ୍ୱଭୂଷଣ ହରିଚନ୍ଦନ କୋଟିଆ ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ‘ଆମ ଅଧିକାର’ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା ଓ ସଞ୍ଜୟ ପରିଡ଼ା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଦୋମୁହାଁ ରାଜନୀତିର ସମାଲୋଚନା କରିଛନ୍ତି। ବିଜେଡି ସହ ଦୁଇ ଦୁଇଥର ସରକାରରେ ଥିବାବେଳେ ରାଜସ୍ୱ ବିଭାଗ ଦାୟିତ୍ୱରେ ବିଜେପିର ମନ୍ତ୍ରୀମାନେ ଥିଲେ ମଧ୍ୟ ସେମାନେ କେତେଥର କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି, ସେଠାକାର ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଓ ସମାଧାନ ଦିଗରେ କି କି ପରାମର୍ଶ, ପ୍ରସ୍ତାବ ବା ଯୋଜନା ପ୍ରଣୟନ କରିଛନ୍ତି, ତା’ର ହିସାବ ରାଜ୍ୟଶାଖା ବିଜେପି ପ୍ରଦାନ କରୁ ବୋଲି ସେମାନେ ଦାବି କରିଛନ୍ତି।

୨୦୦୬ ମସିହାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାରରେ ଅଂଶୀଦାର ଥିବା ବିଜେପି ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା ବେଳେ ଏବେ ଯେଉଁ ଅଭିଯୋଗ ବାଢୁଛି ତଦ୍ଦ୍ୱାରା ବିଜେପି ଦୋଷମୁକ୍ତ ହୋଇପାରିବ ନାହିଁ ବୋଲି କୁହାଯାଇଛି। ସେହିପରି ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ହୋଇଥିବା ବିଜେପିର ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ନୀରବ କାହିଁକି ତାହାର ଜବାବ ବିଜେପି ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। କୋଟିଆ ପ୍ରସଙ୍ଗରେ ରାଜ୍ୟ ବିଜେପିର ନେତୃବୃନ୍ଦ ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟରେ ଦଳବଳ ନେଇ ସେଠାକୁ ଯିବା ହାସ୍ୟାସ୍ପଦ। ଓଡ଼ିଶା ବିଜେପିର ଯଦି ଆନ୍ତରିକତା ଅଛି ତେବେ ଦଳ ତାଙ୍କ ନେତାଙ୍କୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ପଦବିରୁ ଓହରାଇ ଆଣିବାକୁ ପ୍ରସ୍ତାବ ଦେବ କିମ୍ବା ଅନୁରୋଧ କରିପାରିବ କି ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି। ତେଣୁ ଓଡ଼ିଶାର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଏହି ପ୍ରସଙ୍ଗରେ ପ୍ରତିବାଦ କରିବା ସହ ନିଜ ପଦରୁ ଇସ୍ତଫା ଦେଇ ଓଡ଼ିଆଙ୍କ ଯୁଦ୍ଧରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ହରିଚନ୍ଦନଙ୍କୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ଆନ୍ଧ୍ରର ଏହି ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ଆମ ଅଧିକାର ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ କୋଟିଆ ଗସ୍ତ କରିବା ସହ ଏହାକୁ ରାଜ୍ୟସରକାରଙ୍କ ପାଖରେ ଉପସ୍ଥାପନ କରାଯିବ। ରାଜ୍ୟ ତମାମ ଜନମତ ସୃଷ୍ଟି କରାଯିବା ସହ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର