ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଦୁର୍ନୀତି: ପିଲାଙ୍କ ଥାଳିରେ ଫାଳେ ଅଣ୍ଡା

ଭୁବନେଶ୍ବର: ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ଦିଆଯାଉଛି ଫାଳେ ଅଣ୍ଡା। ପିଲା ପିଛା ଗୋଟିଏ ଅଣ୍ଡା ଦେବାର ବ୍ୟବସ୍ଥା ଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଫାଳେ ଦେଉଛନ୍ତି। ରାଜଧାନୀର ଛାତି ଉପରେ ଏଭଳି ଦୁର୍ନୀତି ‘ସମ୍ବାଦ’ ନଜରକୁ ଆସିଛି। ଏହାର ଦୃଶ୍ୟ ମଧ୍ୟ ସମ୍ବାଦ କ୍ୟାମେରାରେ କଏଦ୍‌ ହୋଇଛି। ଏହି ଘଟଣା ସ୍ପଷ୍ଟ ବୟାନ କରୁଛି ଯେ ମହିଳା ଓ ଶିଶୁ ବିକାଶ ବିଭାଗର ଯୋଜନା ତଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି।

ଭୁବନେଶ୍ବର ମହାନଗର ନିଗମର ୧୦ ନମ୍ବର ୱା‌ର୍ଡ ଭଗବତୀ ବସ୍ତିରେ ଥିବା ମା’ ଭଗବତୀ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି। ଆଜି ପିଲାଙ୍କ ଥାଳିରେ ଭାତ, ଡାଲ୍‌ମା ସହ ଫାଳେ ଅଣ୍ଡା ଦିଆଯାଇଥିଲା। ଅଙ୍ଗନବାଡ଼ି କେନ୍ଦ୍ରରେ ଛଅ ଦିନ‌ରେ କେବଳ ସୋମବାର ଭାତ ଓ ଡାଲ୍‌ମା ଏବଂ ବାକି ପାଞ୍ଚ ଦିନ ଭାତ, ଡାଲ୍‌ମା ସହ ଗୋଟିଏ ଲେଖାଏଁ ଅଣ୍ଡା ଦେବାର ବ୍ୟବସ୍ଥା‌ ରହିଛି। କିନ୍ତୁ ଦୀର୍ଘ ଦିନ ଧରି ଏହି ଅଙ୍ଗନବାଡି କେନ୍ଦ୍ରରେ ତିନି ଦିନ ଭାତ, ଡାଲ୍‌ମା ଓ ଅନ୍ୟ ତିନି ଦିନ ଭାତ, ଡାଲ୍‌ମା ସହ ଫାଳେ ଲେଖାଏଁ ଅଣ୍ଡା ଦିଆଯାଉଛି। ଏ ସଂପର୍କରେ ଅଭିଯୋଗ କଲେ, ଅଙ୍ଗନବାଡ଼ି କର୍ମୀ ପ୍ରତିଭା ପରିଡ଼ାଙ୍କ ସ୍ବାମୀ ଗାଳିଗୁଲଜ କରିବା ସହ ଧମକ ଦେଉଛନ୍ତି ବୋଲି ଅଭିଭାବକ ଉର୍ମିଳା ମହାନ୍ତି ଅଭିଯୋଗ କରିଛନ୍ତି।

ଜଣେ ପିଲାକୁ ହିସାବକୁ ନେଲେ, ପ୍ରତି ସପ୍ତାହରେ ୫ଟି ଲେଖାଏଁ ହିସାବରେ ବର୍ଷକୁ ୫୨ ସପ୍ତାହରେ ଜଣେ ପିଲା ୨୬୦ ଅଣ୍ଡା ଖାଇବା କଥା। ହେଲେ ଏହି କେନ୍ଦ୍ରକୁ ଆସୁଥିବା କୋମଳମତି ପିଲା ସପ୍ତାହକୁ ତିନି ଦିନ ଫାଳେ ଲେଖାଏଁ ହିସାବରେ ସପ୍ତାହକୁ ଦେଢ଼ଟା ଅଣ୍ଡା ଖାଉଛନ୍ତି। ୫୨ ସପ୍ତାହରେ ମାତ୍ର ୭୮ଟି ଅଣ୍ଡା ଖାଉଛି ଜଣେ ପିଲା। ବର୍ଷକୁ ୧୮୨ଟି ଅଣ୍ଡା ଚୋରି କରାଯାଉଛି। ସରକାର ଦେଉଥିବା ଅଣ୍ଡାର ୩୦ ପ୍ରତିଶତ ପିଲା ଖାଉଥିବା ବେଳେ ୭୦ ପ୍ରତିଶତ ବାଟମାରଣା ହେଉଛି। ଏହି ୭୦ ପ୍ରତିଶତ ତଳରୁ ଉପର ଯାଏ ଭାଗବାଣ୍ଟି ଖାଉଥିବା‌ର ଅଭିଯୋଗ ହେଉଛି। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟରେ ୭୧ ହଜାର ଅଙ୍ଗନବାଡି କେନ୍ଦ୍ର ରହିଛି। ଭଗବତୀ ଅଙ୍ଗନବାଡ଼ି କେନ୍ଦ୍ର ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି। ଅଧିକାଂଶ କେନ୍ଦ୍ରରେ ଏଭଳି ଛୁଆଙ୍କ ଖାଦ୍ୟ ବାଟମାରଣା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। କେଉଁଠି ଭୂତ ପିଲାଙ୍କ ନାଁରେ ହରିଲୁଟ୍‌ ହେଉଛି ତ କେଉଁଠି ପିଲାଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଯାଉଛି।

ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ଗଠନ କରାଯାଇଛି। ଇଣ୍ଟିଗ୍ରେଟେଡ୍‌ ଚାଇଲଡ୍‌ ଡେଭଲପମେଣ୍ଟ ସର୍ଭିସ୍‌(ଆଇସିଡିଏସ) ଗଠନ କରାଯାଇ ପିଲାଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୋଷଣ, ସପ୍ଲିମେଣ୍ଟାରି ପୁଷ୍ଟିକର କାର୍ଯ୍ୟକ୍ରମ, ପ୍ରତିରୋପଣ, ସ୍ୱାସ୍ଥ୍ୟ ଯାଞ୍ଚ, ରେଫରାଲ୍ ସେବା, ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ଶିକ୍ଷା, ମମତା, ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା, ଶିଶୁ ଏବଂ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗଭର୍ବତୀ ମହିଳାଙ୍କୁ ପ୍ରତି ମାସରେ ୪କିଲୋ ଛତୁଆ, ୧୨ଟି ଅଣ୍ଡା, ବାଦାମ ଲଡ଼ୁ ଦେବାର ବ୍ୟବସ୍ଥା ରହିଛି। ପୁଷ୍ଟିକର ଦିବସ ମଧ୍ୟ ପାଳନ କରାଯାଉଛି। ହେଲେ ଦୁର୍ନୀତିଖୋର୍‌ ମନୋଭାବ ଅପପୁଷ୍ଟିର ଅନ୍ଧାର ଭିତରକୁ ଠେଲି ଦେଉଛି। ଆଜିର ଘଟଣା ସମ୍ପର୍କରେ ଅଙ୍ଗନବାଡ଼ି ସୁପରଭାଇଜର୍‌ ଚଳତା ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଉକ୍ତ କେନ୍ଦ୍ରରେ ଫାଳେ ଅଣ୍ଡା ଦିଆଯାଉଥିବା ନେଇ ଅଭିଯୋଗ ଆସିଛି। ମୁଁ ଅଙ୍ଗନବାଡ଼ି କେନ୍ଦ୍ର ଯାଇ ଅନୁଧ୍ୟାନ କରିବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର