ବାରଙ୍ଗ: ସରକାର ମହିଳା ଓ ଶିଶୁ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାରଙ୍ଗ ବ୍ଲକ୍ କୁହ୍ନେଇପଡ଼ା ପଞ୍ଚାୟତ ଅଧୀନ ୱାର୍ଡ ନମ୍ବର-୧ କୁସିନ୍ଦା ଗ୍ରାମରେ ଶିଶୁ ବିକାଶ ଯୋଜନା ଉପହାସ ପାଲଟିଛି। ଦୀର୍ଘ ୧୭ ବର୍ଷ ହେଲାଣି ଏଠାରେ ଅଙ୍ଗନବାଡ଼ି କେନ୍ଦ୍ରର ଘର ନ ଥିବାରୁ ପିଲାମାନଙ୍କୁ ଏଣେ ତେଣେ ପାଠପଢ଼ା ଚାଲିଛି। ଏପରିକି ଗାଁ ଦାଣ୍ଡରେ ଅଙ୍ଗନବାଡ଼ି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଦୃଶ୍ୟ କୌଣସି ଉପାନ୍ତ ଗ୍ରାମ ନୁହେଁ, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ଥିବା କୁସିନ୍ଦା ଗ୍ରାମର। ସରକାରୀ ସ୍ବୀକୃତିପ୍ରାପ୍ତ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପରିଚାଳିକା ଓ ସହାୟିକା ନିଯୁକ୍ତ ହୋଇ ପିଲାଙ୍କୁ ପାଠ ପଢ଼ା ଦାୟିତ୍ୱ ତୁଲାଇ ଆସୁଛନ୍ତି। କିନ୍ତୁ କେନ୍ଦ୍ରର ଗୃହଟିଏ ନିର୍ମାଣ କରାଯାଇ ପରିନାହିଁ। ଫଳର ଗାଁ ଦାଣ୍ଡ ଛକରେ ଜରିପାଲ ପକାଇ ପିଲାଙ୍କୁ ପାଠ ପଢ଼ା ଯାଉଛି।
ବର୍ଷା ଦିନରେ ପିଲାମାନଙ୍କୁ କୋଠ ଘରେ ବସାଇ ପାଠ ପଢ଼ାଯାଏ। ତେବେ କୋଠଘରେ ଗ୍ରାମର ସାଂସ୍କୃତିକ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ପାଠ ପଢ଼ା ସମ୍ଭବ ହୁଏ ନାହିଁ। ସେଥିଲାଗି ସାହି ଲୋକଙ୍କ ପିଣ୍ଡା କିମ୍ବା ବାରଣ୍ଡାରେ ପାଠ ପଢ଼ାଯାଇ ଥାଏ। ଏବେ କୋଠ ଘରେ କାର୍ତ୍ତିକେଶ୍ୱର ମହୋତ୍ସବ ହେବାକୁ ଯାଉଛି। ମୂର୍ତ୍ତି ନିର୍ମାଣ ଆରମ୍ଭ ହେବାରୁ ପିଲାମାନଙ୍କୁ ରାସ୍ତାରେ ବସାଇ ପାଠ ପଢ଼ା ଯାଉଥିଲା। ଅଭିଭାବକ ଓ ଗ୍ରାମବାସୀ ଗାଁ ଦାଣ୍ଡରେ ପିଲାଙ୍କ ପାଠ ପଢା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। କୁହ୍ନେଇପଡ଼ା ସରପଞ୍ଚ ରୀତାଞ୍ଜଳି ସାମଲ ଗ୍ରାମବାସୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ଯଥାଶୀଘ୍ର ଅଙ୍ଗନବାଡ଼ି ଗୃହ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ବାରଙ୍ଗ ତହସିଲ କାର୍ଯ୍ୟାଳୟ ପରିସରରେ ନେଇ ପିଲାମାନଙ୍କୁ ପାଠ ପଢାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/dgaddgzcvcvcv-2025-10-24-03-35-24.jpg)