ଭୁବନେଶ୍ବର: ଗତକାଲି ୟୁନିଟ୍‌-୯ ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଆରତି ମହାପାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିବାଦ ଜୋର୍‌ ଧରିଛି। ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁ ତାଙ୍କୁ ବଟି ମାଗୁଥିବା ଅଭିଯୋଗ କରି ଶ୍ରୀମତୀ ମହାପାତ୍ର ଆଜି ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ତେବେ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା ବୋଲି ଇପ୍ସିତା କହିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ବିଜେଡିର ଗୋଷ୍ଠୀକନ୍ଦଳ ଓ ଆଗାମୀ ପୌର ନିର୍ବାଚନ ପାଇଁ ବଳ କଷାକଷିର ଆଭାସ ମିଳିଛି।

Advertisment

ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ମହାପାତ୍ରଙ୍କ ଅଭିଯୋଗ କରିଛନ୍ତି ଯେ ଗତକାଲି ୟୁନିଟ୍‌-୯ ଅଞ୍ଚଳରେ ସେ ଗୋପବନ୍ଧୁ ସ୍କୁଲ ପରିସରସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଓ ଅଣ୍ଡା ବଣ୍ଟନ କରୁଥିଲେ। ଏତିକିବେଳେ ବିଜେଡି ନେତ୍ରୀ ଇପ୍‌ସିତା ସାହୁ ସେଠାରେ ପହଞ୍ଚି ତାଙ୍କୁ ବଟି ମାଗିଥିଲେ। ପୂର୍ବରୁ ମଧ୍ୟ ସେ ବଟି ମାଗୁଥିଲେ। ଗତକାଲି ସେ ପେଟିଏ ଅଣ୍ଡା ଓ ୧୦ ହଜାର ଟଙ୍କା ବଟି ମାଗିବାରୁ ସେ ମାନସିକସ୍ତରରେ ଆଘାତପ୍ରାପ୍ତ ହୋଇଥିଲେ। ଏଣୁ ନିଦ ବଟିକା ଖାଇ ଓ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ‌। ଏହି ଅଭିଯୋଗକୁ ଆଧାର କରି ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରିଣୀ ଏବେ ବି ଅସୁସ୍ଥ ଥିବାରୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଣୁ ତାଙ୍କୁ ପଚରାଉଚରା ହୋଇପାରି ନାହିଁ। ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି। ଅପରପକ୍ଷରେ ଏହି ଅଭିଯୋଗକୁ ଇପ୍ସିତା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଗତକାଲି ଦଳୀୟ କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ଥିଲି। ଆଦୌ ଛତୁଆ ବଣ୍ଟନ ସ୍ଥାନକୁ ଯାଇନାହିଁ। ଏପରି ମନଗଢ଼ା ଅଭିଯୋଗ ମୋତେ ଆଶ୍ଚର୍ଯ୍ୟ କରିଛି। ଏହାର ଉପଯୁକ୍ତ ତଦନ୍ତ ହେଉ। ଏପରି ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବିଜେଡିର ଦୁଇ ଗୋଷ୍ଠୀ ବିବାଦକୁ ପଦାରେ ପକାଇଛି। ପୌର ନିର୍ବାଚନକୁ ଆଖି ଆଗରେ ବିଭିନ୍ନ ୱାର୍ଡ ପରି ଏଠାରେ ମଧ୍ୟ ବିଜେଡିର ଏକାଧିକ ଆଶାୟୀ ଅଛନ୍ତି। ଜଣେ ପୂର୍ବତନ କର୍ପୋରେଟର୍‌ ସେଠାରେ ପୁନର୍ବାର ଟିକେଟ୍‌ ପାଇଁ ଆଶାୟୀ ଥିଲା ବେଳେ ଇପ୍ସିତା ସେଠାରେ ସାଂଗଠନିକ କାର୍ଯ୍ୟକ୍ରମ କରି ଟିକେଟ୍‌ ଲବି ଆରମ୍ଭ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଗତକାଲିର ଘଟଣା ପରେ ସେଥିରୁ ରାଜନୈତିକ ଫାଇଦା ପାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ମାମଲା ଥାନାକୁ ଯାଇଥିଲେ ବି ଦଳୀୟସ୍ତରରେ ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି।