ସଂକ୍ରମିତଙ୍କ ଦେବଦୂତ, କରୋନା ଆକ୍ରାନ୍ତ ପରିବାରକୁ ଶୁଖିଲା ଖାଦ୍ୟ ଦେଉଛନ୍ତି ମଧୁସୂଦନ

ଭୁବନେଶ୍ବର: ଡୁମଡୁମାରେ କରୋନା ଆକ୍ରାନ୍ତ ୩୦ ପରିବାରକୁ ଶୁଖିଲା ଖାଦ୍ୟ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ସାମାଜିକ କର୍ମୀ ମଧୁସୂଦନ ନାଏକ। ଡୁମଡୁମା ସାଇ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କ ସହାୟତାରେ ପ୍ରାୟ ୧୦ ଦିନ ହେଲା ସେମାନେ ଏହି କାର୍ଯ୍ୟ କରୁଥିବା କହିଛନ୍ତି। ରାଜଧାନୀର ଅନ୍ୟ ଅଞ୍ଚଳ ଭଳି ଡୁମଡୁମାର ଅଧିକାଂଶ ଘରେ ସମଗ୍ର ପରିବାର କରୋନାରେ ପୀଡ଼ିତ ହୋଇ ଘରେ ଗୃହାବଦ୍ଧାରେ ଅଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ପରିବାରର ଜଣେ ହେଲେ ବାହାରକୁ ଯାଇ ଡାଲି, ଚାଉଳ ଆଣିବା ସମ୍ଭବ ହେଉ ନାହିଁ।

ଏଣେ ଆର୍ଥିକ ସମ୍ବଳ ଅଭାବରୁ ଅନଲାଇନରେ ଖାଦ୍ୟ ମଗାଇବା ମଧ୍ୟ କଷ୍ଟକର ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଦିନ ଶୁଖିଲା ଖାଦ୍ୟ ବାଣ୍ଟିବା ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ମଧୁସୂଦନ। ଏଥିସହିତ ଗରିବ ବିଦ୍ୟାର୍ଥୀଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଦେଉଛନ୍ତି। ଉଠାଦୋକାନ ମହାସଂଘର ପ୍ରତାପ ସାହୁଙ୍କ ସହଯୋଗରେ କରୋନା ଆକ୍ରାନ୍ତଙ୍କ ଘର ସାନିଟାଇଜେସନ କରିଛନ୍ତି। ଗତବର୍ଷ ମଧ୍ୟ ସେମାନେ ଲକଡାଉନରେ କ୍ଷତିଗ୍ରସ୍ତ ପରିବାର ଖାଦ୍ୟ ବଣ୍ଟନ କରିଥିଲେ। ୨୫ ବର୍ଷ ହେଲା ମଧୁସୂଦନ ବିଭିନ୍ନ ପ୍ରକାର ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବସ୍ତି ଅଞ୍ଚଳରେ ଚାଲୁଥିବା ୨ଟି ସ୍କୁଲ ପରିଚାଳନାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କୁ ସମ୍ମାନିତ କରିଥିଲେ। ଏମ୍‌ସ ଭୁବନେଶ୍ବରକୁ ସେ ମଧ୍ୟ ନିଜ ଶରୀର ଦାନ କରିଛନ୍ତି।

ସମ୍ବନ୍ଧିତ ଖବର