କରୋନା ରୋଗୀଙ୍କ ପାଇଁ ଦେବଦୂତ ସତବୀର ଓ ସାଥୀ; ଘରକୁ ଘର ଯାଇ ପହଞ୍ଚାଉଛନ୍ତି ଅକ୍ସିଜେନ୍‌

ଅକ୍ସିମିଟର, ଔଷଧ ଓ ରାସନ ବି ଦେଉଛନ୍ତି, ଶିଖ୍ଏଡ୍‌ ଚାରିଟେବୁଲ ଟ୍ରଷ୍ଟର ପ୍ରଶଂସନୀୟ ପ୍ରୟାସ

ଭୁବନେଶ୍ବର: ସାରା ଦେଶରେ ଦ୍ବିତୀୟ ଲହରରେ କରୋନାର ପ୍ରକୋପ ସାଂଘାତିକ ଭାବେ ବଢ଼ି ଚାଲିଛି। ଅନେକ ରାଜ୍ୟରେ ଅମ୍ଳଜାନ ପାଇଁ ସୃଷ୍ଟି ହୋଇଛି ହାହାକାର। ଭେଣ୍ଟିଲେଟରରେ ଅମ୍ଳଜାନ‌ ଯୋଗାଣ ବନ୍ଦ ହୋଇଯିବାରୁ ଛଟପଟ ହୋଇ ଶହଶହ ରୋଗୀଙ୍କ ପ୍ରାଣ ଚାଲି ଯାଉଛି। ତେବେ ଓଡ଼ିଶାର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନର ଏତେଟା ଅଭାବ ସୃଷ୍ଟି ହୋଇ ନ ଥିଲେ, ଶଯ୍ୟାଭାବ ଯୋଗୁଁ ଅନେକ କରୋନା ଆକ୍ରାନ୍ତ ହସ୍ପିଟାଲ ଯାଇ ପାରୁନାହାନ୍ତି। ଘରେ ରହି ଚିକିତ୍ସିତ ହେଲାବେଳେ ଶରୀରରେ ଅଚାନକ ଅକ୍ସିଜେନ୍ ସ୍ତର କମିଯାଉଛି। ଆଉ ତୁରନ୍ତ ଅମ୍ଳଜାନ ନ ମିଳିବାରୁ ରୋଗୀମାନେ ଗୁରୁତର ହୋଇ ପଡ଼ୁଛନ୍ତି। ଏଭଳି ରୋଗୀଙ୍କ ପାଖରେ ତୁରନ୍ତ ଅକ୍ସିଜେନ ଯୋଗାଇବା ପାଇଁ ଦେବଦୂତ ସାଜି ଆଗେଇ ଆସିଛନ୍ତି ରାଜଧାନୀର ଜଣେ ଶିଖ୍ ଯୁବକ ସତବୀର ସିଂ। କରୋନାର ଏହି ତାଣ୍ଡବ ବେଳେ ସତବୀର ଆଉ କିଛି ଯୁବକଙ୍କୁ ନେଇ ଶିଖ୍‌ଏଡ୍‌ ଚାରିଟେବୁଲ ଟ୍ରଷ୍ଟ ଜରିଆରେ କଟକ-ଭୁବନେଶ୍ବର ଦ୍ବୈତନଗରୀରେ ଘରଘର ବୁଲି ଗୁରୁତର ରୋଗୀଙ୍କ ପାଖରେ ପହଞ୍ଚାଉଛନ୍ତି ଅକ୍ସିଜେନ ସିଲିଣ୍ଡର। ସଂକ୍ରମିତଙ୍କ ପାଖରେ ମାଗଣାରେ ଅକ୍ସିଜେନ ପହଞ୍ଚାଇବା ସହ ଅକ୍ସିମିଟର, ମେଡିକାଲ ସାମଗ୍ରୀ, ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି।

ଶିଖ୍ଏଡ୍‌ ଟ୍ରଷ୍ଟର ମୁଖ୍ୟ ସତବୀର ସିଂ କହିବାନୁଯାୟୀ ଗତବର୍ଷ ଅଗଷ୍ଟ ମାସରେ ତାଙ୍କ ପରିବାରର ସମସ୍ତେ କରୋନା ସଂକ୍ରମିତ ହୋଇଥିଲେ। ସେମାନେ ଘରେ ରହି ଚିକିତ୍ସିତ ହେଉଥିଲେ। ସେତେବେଳେ ଚିକିତ୍ସା ପାଇଁ ୩ଟି ଅକ୍ସିଜେନ୍‌ ସିଲିଣ୍ଡର କିଣିଥିଲେ। ଏସବୁ ସିଲିଣ୍ଡର ଘରେ ପଡ଼ିଥିଲା। ‌ତେବେ କରୋନାର ଦ୍ବିତୀୟ ଲହରରେ ଘରେ ରହି ଚିକିତ୍ସିତ ହେଉଥିବା ଅନେକ ରୋଗୀଙ୍କ ଅମ୍ଳଜାନ କମିଯାଉଥିବା ଜାଣିବା ପରେ ସେ ସେମାନଙ୍କୁ ମାଗଣାରେ ଅକ୍ସିଜେନ୍‌ ଯୋଗାଇଦେବା ପାଇଁ ମନସ୍ଥ କରିଥିଲେ। ସେଥିପାଇଁ ଆଉକିଛି ଯୁବକଙ୍କୁ ଏକା‌ଠି କରି ସେ ଏକ ଟ୍ରଷ୍ଟ କରିବା ସହ ଏହି ଅଭିଯାନ ଆରମ୍ଭ କରିଥିଲେ। ସେମାନେ ଏବେ ଅଧିକ ସିଲିଣ୍ଡର କିଣିବା ସହ କାର୍‌ରେ ସେସବୁ ରଖି ଘରଘର ବୁଲି ଅକ୍ସିଜେନ ପହଞ୍ଚାଉଛନ୍ତି। ଆଜି ସୁଦ୍ଧା ତାଙ୍କ ସଂଗଠନ କଟକ ଓ ଭୁବନେଶ୍ବରର ୧୦୫ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ମାଗଣାରେ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଇ ସାରିଲେଣି। ଟ୍ରଷ୍ଟ ପାଖରେ ବର୍ତ୍ତମାନ ୪୦ଟି ଅକ୍ସିଜେନ ସିଲିଣ୍ଡର ଅଛି। ସେଥିରୁ ୩୦ଟି ଭୁବନେଶ୍ବରରେ ଏବଂ ୧୦ଟି କଟକରେ ଅଛି। ଏଥିସହ ଆବଶ୍ୟକ କରୁଥିବା ରୋଗୀଙ୍କ ନିକଟରେ ଅକ୍ସିମିଟରଠାରୁ ଆରମ୍ଭ କରି ଦରକାରୀ ମେଡିକାଲ ସାମଗ୍ରୀ ପହଞ୍ଚାଉଛି।

କରୋନା ସଂକ୍ରମିତମାନଙ୍କୁ ଅଛୁଆଁ ମନେ କରି ସମାଜରେ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ସଂଗଠନର ସଦସ୍ୟ ମାନେ ସେମାନଙ୍କ ଘରକୁ ଯାଇ ଅକ୍ସିଜେନ୍‌ ଲଗାଇ ଆସନ୍ତି। ଏହା ଜାଣିବା ପରେ ଧୀରେ ଧୀରେ କୋଭିଡ୍‌ରେ ସଂକ୍ରମିତ ଅନେକ ଲୋକ ଅକ୍ସିଜେନ୍‌ ପାଇଁ ଏହି ସଂସ୍ଥାକୁ ଯୋଗାଯୋଗ କରୁଛନ୍ତି। ଆଉ ଖବର ପାଇବା ମା‌ତ୍ରେ ସେମାନେ କାର୍‌ରେ ଯାଇ ରୋଗୀଙ୍କ ଘରେ ପହଞ୍ଚି ଯାଉଛନ୍ତି। ସିଲିଣ୍ଡରରୁ ଅକ୍ସିଜେନ୍ ସରିଗଲା ପରେ ପୁଣିଥରେ ଯାଇ ସେଗୁଡ଼ିକ ସଂଗ୍ରହ କରି ଆଣୁଛନ୍ତି। କଟକ-ଭୁବନେଶ୍ବରରେ କୌଣସି ରୋଗୀଙ୍କର ଅକ୍ସିଜେନ୍‌ ଦରକାର ହେଲେ ମୋବାଇଲ ନଂ. ୮୦୧୮୦୦୮୦୨୧ରେ ଯୋଗାଯୋଗ କରିବା ପାଇଁ ସଂଗଠନର ମୁଖ୍ୟ ସତବୀର ସିଂ ଏବଂ ତାଙ୍କ ସାଥୀ ରୋନକ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର