ତ୍ରିଶୁଳିଆ/ବାରଙ୍ଗ: ପୁଅ ଓ ବୋହୂଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲେ ବାପା। ପୁଅ ଓ ବୋହୂ ଖାଇ ବସିଥିବା ବେଳେ ବାପା ଘଟାଇଛନ୍ତି ଏଭଳି ଅଭାବନୀୟ କାଣ୍ଡ। ଘଟଣା ଘଟିଛି ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ବାରସିଙ୍ଗା ଗାଁରେ। ପୋଡ଼ି ହୋଇ ଗୁରୁତର ହେବା ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୁଅ ବୋହୂ ହେଲେ ଦୀନବନ୍ଧୁ ରାଉତ(୪୦) ଓ ପୂଜା ରାଉତ(୩୨)। ଘରୋଇ କଳହରୁ ଏହା ଘଟିଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ହେଁ ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ଘଟଣାକୁ ନେଇ ନାନା କଥା ଆଲୋଚନା ହେଉଛି। ପୁଅ ବୋହୂଙ୍କ ଉପରେ ଥିବା ବହୁ ଦିନର ପୁଞ୍ଜିଭୂତ ଅସନ୍ତୋଷ ଯୋଗୁ ବାପା ଗୋବର୍ଦ୍ଧନ ରାଉତ(୬୫) ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।
ଗୋଡ଼ିସାହି ଫାଣ୍ଡି ପୁଲିସ ଗୋବର୍ଦ୍ଧନଙ୍କୁ ଅଟକ ରଖି ପଚରାଉଚରା କରୁଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଦମ୍ପତିଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ପଡ଼ୋଶୀଙ୍କ ସୂଚନାନୁସାରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ଗୋବର୍ଦ୍ଧନଙ୍କ ଘରେ ପାଟିତୁଣ୍ଡ ଲାଗିଥିଲା। କିନ୍ତୁ ରାତି ପ୍ରାୟ ୯ଟା ବେଳେ ହଠାତ୍ ତାଙ୍କ ଘରୁ ଭୟଙ୍କର ଚିତ୍କାର ଶୁଭିଥିଲା। କିଛି ବଡ଼ଧରଣର ଅଘଟଣ ଘଟିଥିବା ସନ୍ଦେହ କରି ପଡ଼ୋଶୀମାନେ ଧାଇଁ ଯାଇଥିଲେ। ସେତେବେଳକୁ ଦୀନବନ୍ଧୁ ଓ ପୂଜା ତଳେ ଗଡ଼ୁଥିଲେ। ସେମାନଙ୍କ ମୁଣ୍ଡ, ପିଠି ଆଦି ଶରୀରର ବହୁ ଅଂଶ ଜଳିଯାଇଥିବାରୁ ବଡ଼ବଡ଼ ଫୋଟକ ହୋଇ ଫାଟି ଯାଇଥିଲା। ବାପା ଗୋବର୍ଦ୍ଧନ ନିର୍ବିକାର ଭାବେ ବାରଣ୍ଡାରେ ବସିଥିଲେ। ଗୋବର୍ଦ୍ଧନ ସେମାନଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଇଛନ୍ତି ବୋଲି ପୁଅ ଦୀନବନ୍ଧୁ କହିଥିଲେ। ତୁରନ୍ତ ପଡ଼ୋଶୀମାନେ ଗୋଡ଼ିସାହି ଫାଣ୍ଡିକୁ ଜଣାଇଥିଲେ। ପୁଲିସ ଆମ୍ବୁଲାନ୍ସ ଯୋଗେ ଦମ୍ପତିଙ୍କୁ କଟକ ପଠାଇଥିଲା। ଘଟଣା ପରେ ବାରସିଙ୍ଗା ଗାଁରେ ହଇଚଇ ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/06/0huPKRbsbZfxwd8SngoU.jpg)
