୭୦୦ ହିନ୍ଦୁ ମନ୍ଦିର, ଜୈନ ଓ ବୌଦ୍ଧ ପୀଠ ସହ ପାହାଡ଼, ଜଙ୍ଗଲ ଓ ନଦୀ ଘେରା ଐତିହ୍ୟସମ୍ପନ୍ନ ଓ ଶହ ଶହ ବ‌ର୍ଷର କୀର୍ତିରାଜିକୁ ନେଇ ରାଜଧାନୀ ଭୁବନେଶ୍ବରର ପରିଚୟ। କିଛି ଇତିହାସକୁ ନେଇ ନିଜେ ରାଜଧାନୀ ଗଢ଼ି ହୋଇଛି ତ’ ପୁଣି କିଛି ଇତିହାସ, ରାଜଧାନୀ ତିଆରିଛି। ଏହାର ପ୍ରତିଟି ଛକ, କଲୋନି, ମଠ, ମନ୍ଦିର, ଏପରିକି ବୁଢ଼ା ଗଛ ପଛରେ ରହିଛି କିଛି ଇତିହାସ, କଥା ଓ କାହାଣୀ। କେବେ ଏସବୁ ଭୁବନେଶ୍ବରକୁ ନେଇ ପରିଚିତ ହୁଅନ୍ତି ତ’ କେବେ ଅଜଣା ଆଗନ୍ତୁକ ପାଇଁ ସ୍ମୃତି ଚିହ୍ନ ହୋଇ ରହିଯାଆନ୍ତି। ଭୁବନେଶ୍ବରର ଏମିତି କିଛି ପ୍ରମୁଖ ସ୍ଥାନକୁ ନେଇ ଆମର ଏହି ସ୍ବତନ୍ତ୍ର ପ୍ରସ୍ତୁତି।

Advertisment

publive-image

ଭୁବନେଶ୍ବର : ଦିନେ ମୋଗଲ ବାଦ୍‌ଶାହ ଶାହାଜାହାନ ନିଜ ପତ୍ନୀ ମମତାଜ୍‌ଙ୍କ ପାଇଁ ଗଢ଼ିଥିଲେ ପ୍ରେମର ବିଶାଳ ଇମାରତ୍‌ ‘ତାଜମହଲ’। ଏବେ ଉଭୟ ନାହାନ୍ତି, କିନ୍ତୁ ଆଜି ବି ତାଙ୍କ ପ୍ରେମର ମୁକ ସାକ୍ଷୀ ହୋଇରହିଛି ଏହି ବିଶାଳ ସୌଧ, ଆଜିର ଯୁବପିଢ଼ିଙ୍କୁ ପ୍ରେମର ବ୍ୟାଖ୍ୟା ବତାଇ ଚାଲିଛି। ସେହିଭଳି ରାଜଧାନୀର ପୁରୁଣା ଭୁବନେଶ୍ବର ଅଞ୍ଚଳରେ ରହିଥିବା ‘ଆନି ହାଉସ୍‌ ଛକ’ ବି ବହନ କରେ ଏକ ‌ପ୍ରେମ କାହାଣୀ। ପୁଣି ଏମିତି ସେମିତି ନୁହେଁ, ସାତଦରିଆ ପାରି ଏକ ପ୍ରେମ କାହାଣୀ; ‘ଶରତ ଓ ଆନି’ଙ୍କର ପ୍ରେମ କାହାଣୀ। ହୁଏତ’ ଏହି କାହାଣୀ ସହ ଅନେକ ଅବଗତ ନଥିବେ। କେମିତି ଓ କାହା ନାଁରେ, କେବେଠାରୁ ଆରମ୍ଭ ହୋଇଛି ଆନି ହାଉସ୍‌ ଛକ, ବୋଧହୁଏ ଅନେକଙ୍କ ପାଇଁ ଏହା ଏକ ପ୍ରଶ୍ନବାଚୀ।

ଭୀମଟାଙ୍ଗୀ ବିକାଶ ପରିଷଦର ସଦସ୍ୟ ତଥା ଆନି ହାଉସ୍‌ ଛକର ବହୁ ପୁରୁଣା ବାସିନ୍ଦା ସାରଙ୍ଗଧର ମିଶ୍ର କହିଛନ୍ତି, ୮୦ ଦଶକ ଶେଷ ଆଡ଼କୁ ସେ ଯେତେବେଳେ ଏଠାକୁ ଆସିଲେ ଏହି ଛକ କିମ୍ବା ଅଞ୍ଚଳର ସେମିତି କିଛି ନାମକରଣ ନଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ତାଙ୍କ ବାସଭବନ ଏକାମ୍ର ନିବାସରୁ ବାହାରି ଏହି ରାସ୍ତା ଦେଇ ହିଁ ଯା’ ଆସ କରୁଥିଲେ। ସେ ଏହି ରାସ୍ତା ଦେଇ ପ୍ରତିଦିନ ଯା’ ଆସ କରୁଥିବାରୁ ପୁରୁଣା ଭୁବନେଶ୍ବରର କେଉଟ ସାହିରୁ ଡାକବଙ୍ଗଳା ଛକ ପର୍ଯ୍ୟନ୍ତ ରାସ୍ତାକୁ ‘ମହତାବ୍‌ ରୋଡ୍‌’ ବୋଲି କୁହାଯାଉଥିଲା। କିନ୍ତୁ ଏହି ଛକର ନାମ ଆନି ହାଉସ୍‌ ପ୍ରାୟ ୧୯୮୯ ମସିହା ଆଡ଼କୁ ହୋଇଥିବ ବୋଲି ସେ କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ସେତେବେଳେ ଏହି ଅଞ୍ଚଳରେ ଶରତ ମହାପାତ୍ର ନାମକ ଜଣେ ଟୁରିଷ୍ଟ୍‌ ଗାଇଡ୍‌ ରହୁଥିଲେ। ସେ ଦେଶ ବା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପୁରୁଣା ଭୁବନେଶ୍ବରର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ସମେତ ପୁରୀ ଓ ‌କୋଣାର୍କ ବୁଲାଇ ଦେଖାଉଥିଲେ। ଏହି ସମୟରେ ଫ୍ରାନ୍ସରୁ ଆସିଥିବା ଜଣେ ମହିଳା ‘ଆନି’ଙ୍କ ସହ ଶରତଙ୍କର ଦେଖା ହୋଇଥିଲା ଓ ଉଭୟ ପ୍ରେମ ସମ୍ପର୍କରେ ଯୋଡ଼ି ହୋଇଯାଇଥିଲେ। ଆନି ଏହା ପରେ ନିଜ ଦେଶକୁ ନ ଫେରି ପୁରୁଣା ଭୁବନେଶ୍ବରର ସେହି ଆନି ହାଉସ୍‌ ଛକ ପାଖରେ ରହିଥିଲେ। ପ୍ରଥମେ ଏକ ଛୋଟ ଘରେ ଉଭୟ ରହୁଥିବା ବେଳେ ଶରତ, ଆନିଙ୍କ ପାଇଁ ଏକ ଘର ତୋଳିଥିଲେ। ଘରର ନାଁ ରଖିଥିଲେ ‘ଆନି ହାଉସ୍’। ଘରଟି ବେଶ୍‌ ବଡ଼ ନଥିଲା। ଆଜ୍‌ବେଷ୍ଟ୍‌ସ ଘର ଥିଲା, କିନ୍ତୁ ଶରତ ଗଢ଼ିଥିବା ଏହି ଛୋଟ ଘର ଆନିଙ୍କ ପାଇଁ କେଉଁ ତାଜମହଲଠାରୁ କମ୍‌ ନଥିଲା। ଆନି ବିଦେଶୀ ଝିଅ ହୋଇଥିବାରୁ ତାଙ୍କର ରୂପ, ରଙ୍ଗ ଓ ଚେହେରା ଅନ୍ୟମାନଙ୍କଠାରୁ ଭିନ୍ନ ଥିଲା। ଏଣୁ ସେ ଅଞ୍ଚଳରେ ସେ ବାରି ହୋଇପଡ଼ୁଥିଲେ। ଅନ୍ୟ ଓଡ଼ିଆ ନାଁ ମଧ୍ୟରେ ‘ଆନି’ ଭଳି ବିଦେଶୀ ନାମଟି ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାରେ ଥିଲା। ଏଣୁ ‘ଆନି’ ଓ ତାଙ୍କ ଘର ‘ଆନି ହାଉସ୍‌’ ଧୀରେଧୀରେ ‌ସେହି ଅଞ୍ଚଳର ଲାଣ୍ଡ୍‌ମାର୍କ ପାଲଟିଯିବା ସହ ଧୀରେଧୀରେ ଏହି ଛକକୁ ‘ଆନି ହାଉସ୍‌ ଛକ’ କୁହାଯିବା ଆରମ୍ଭ ହୋଇଯାଇଥିଲା।

ଏବେ କିନ୍ତୁ ସେ ଆନି ନାହାନ୍ତି କି ନାହିଁ ସେ ‘ଆନି ଆଉସ୍‌’। ଶରତଙ୍କ ସହ କୌଣସି କାରଣରୁ ଝଗଡ଼ା ଓ ପାରିବାରିକ କଳହ ଯୋଗୁଁ ଆନି ଶରତଙ୍କୁ ୪ ବର୍ଷ ପରେ ହିଁ ଛାଡ଼ି ନିଜ ଦେଶକୁ ଚାଲିଯାଇଥିଲେ। ୯୦ ଦଶକର ଶେଷ ଆଡ଼କୁ ଶରତଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ସେ ଆନି ହାଉସ୍‌ ବି ଭାଙ୍ଗିଯାଇଛି। ପ୍ରଥମେ ସେଠାରେ ଗୋଟିଏ ‘ଚଷମା ଘର’ ହୋଇଥିଲା। ଏବେ ସେଠାରେ ଠିଆ ହୋଇଛି ‘ହରିହର ଆପାର୍ଟମେଣ୍ଟ୍‌’। ସେ ପ୍ରେମୀ ଯୁଗଳ କି ସେ ଯୁଗଳଙ୍କ ପ୍ରେମର ସାକ୍ଷୀ ସେ ଆନି ହାଉସ୍‌ ଏବେ ନାହିଁ ସତ, କିନ୍ତୁ ସେମାନଙ୍କ ପ୍ରେମ କାହାଣୀକୁ ବୟାନ କରିବାକୁ ରାଜଧାନୀରେ ସବୁଦିନ ପାଇଁ ଠିଆ ହୋଇଛି ‘ଆନି ହାଉସ୍‌ ଛକ’।

ଭୀମଟାଙ୍ଗୀର ବରିଷ୍ଠ ନାଗରିକ ଦାମୋଦର ସାମନ୍ତରାୟ, ଭୀମଟାଙ୍ଗୀ ବିକାଶ ପରିଷଦର ଅଧ୍ୟକ୍ଷ ସୁରେଶ କୁମାର ଦାଶ, ୬୧ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ଙ୍କ ସ୍ବାମୀ ଲିଙ୍ଗରାଜ ପୃଷ୍ଟି ଓ ବରିଷ୍ଠ ନାଗରିକ ରଙ୍କନିଧି ପଟ୍ଟନାୟକ ଏସମ୍ପର୍କରେ ସୂଚନା ଦେଇଛନ୍ତି।