ଘନଉଛି ଅନୀଲ୍‌ ଉଭାନ୍ ମାମଲା, ଅପହରଣ ସନ୍ଦେହ

ଖଣ୍ଡଗିରି: ନିଖୋଜ ଅନୀଲ ବେହେରା ମାମଲା ଏବେ ଦିନକୁ ଦିନ ଜଟିଳ ମୋଡ଼ ନେଉଛି। ପ୍ରେମିକା ବୋଲି ଧରି ନେଇଥିବା ଯୁବତୀଙ୍କ ସମ୍ପର୍କୀୟମାନଙ୍କଠାରୁ ମାଡ଼ ଖାଇବା ପରେ ଗତ ୧୦ ତାରିଖରୁ ନିଖୋଜ ହୋଇଯାଇଥିବା ଅନୀଲଙ୍କ ପତ୍ତା ମିଳୁନାହିଁ। ପରିବାର ଲୋକଙ୍କ ସହଯୋଗରେ ଖଣ୍ଡଗିରି ଥାନା ପୁଲିସ ସବୁ ସମ୍ଭାବ୍ୟ ସ୍ଥାନ ଖୋଜାଖୋଜି କରିବା ପରେ ହତାଶ ହୋଇପଡ଼ିଛି। ମୋବାଇଲ୍‌ ଫୋନ୍‌ ସୁଇଚ୍ ଅଫ୍ ଥିବାରୁ ପୁଲିସର ସମସ୍ତ କୌଶଳ ଫେଲ୍ ମାରିଛି। ତେଣୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଫଳରେ ଦିନ ଯେତିକି ଗଡ଼ୁଛି, ପୁଲିସର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ସୂଚନାନୁସାରେ, କଳିଙ୍ଗ ବିହାରରେ ରହୁଥିବା ଅନୀଲ ବେହେରା ଜାଗମରା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଭଲ ପାଉଥିଲେ। ମାତ୍ର ଯୁବତୀଜଣଙ୍କ କୁଆଡ଼େ ତାଙ୍କୁ ବାରମ୍ବାର ପ୍ରତ୍ୟାଖାନ କରି ଆସୁଥିଲେ। ଗତ ୧୦ ତାରିଖରେ ଅନୀଲ ଉକ୍ତ ଯୁବତୀଙ୍କୁ ଡେଲ୍‌ଟା ଛକରେ ଅଟକାଇ ପୁଣି ପ୍ରେମ ନିବେଦନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବତୀ ତାଙ୍କ ବାପା ଓ ଭାଇଙ୍କୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଯୁବତୀଙ୍କ ସମ୍ପର୍କୀୟମାନେ ଡେଲ୍‌ଟା ଛକରେ ପହଞ୍ଚି ଅନୀଲଙ୍କୁ ମାଡ଼ ମାରିଥିଲେ। ପରେ ପରେ ଏ ନେଇ ଅନୀଲ୍‌ ତାଙ୍କ ବାପାଙ୍କୁ ଫୋନ୍‌ କରି ତାଙ୍କୁ ଆକ୍ରମଣ କରାଯାଇଥିବା ଜଣାଇବା ସହ ତାଙ୍କୁ ଆଉ ପାଇବେ ନାହିଁ ବୋଲି କହିଥିଲେ। ଏହା ପରେ ଅନୀଲଙ୍କ ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା। ତେଣୁ ଅନୀଲଙ୍କ ବାପା ତୁରନ୍ତ ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ତାଙ୍କ ପୁଅକୁ ଅପହରଣ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ପୁଲିସ ଅନୀଲଙ୍କ ମୋବାଇଲ୍ ଫୋନ୍‌କୁ ଟ୍ରାକିଂ କରି ଖୋଜିବା ଆରମ୍ଭ କରିଥିଲା। ଫୋନ୍‌ଟି ଶେଷଥର ପାଇଁ ଜାଗମରା ଅଞ୍ଚଳରେ ହିଁ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଥିଲେ ହେଁ ଅନୀଲଙ୍କ ପତ୍ତା ମିଳିନଥିଲା। ଖଣ୍ଡଗିରି ଥାନା ପୁଲିସ ଯୁବତୀଙ୍କ ବାପାଙ୍କୁ ଡକାଇ ପଚରାଉଚରା କରିଥିଲା ଓ ସେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଝିଅକୁ ବଦନାମ କରିବା ପାଇଁ ଅନୀଲ ଏଭଳି ମିଛ ଅପହରଣ ନାଟକ କରିଛି ବୋଲି ସେ ପାଲଟା ଅଭିଯୋଗ କରିଥିଲେ। ‌ତେଣୁ ଅନୀଲଙ୍କୁ ଠାବ କରିବା ପରେ ସତ କ’ଣ ଜଣାପଡ଼ିବ ବୋଲି ପୁଲିସ ତାଙ୍କୁ ଖୋଜିବାରେ ଲାଗି ପଡ଼ିଥିଲା। କିନ୍ତୁ ଏ ଭିତରେ ଆଠ ଦିନ ବିତି ସାରିଥିଲେ ବି ଅନୀଲଙ୍କ ପତ୍ତା ମିଳୁନାହିଁ।

ସମ୍ବନ୍ଧିତ ଖବର