ଭୁବନେଶ୍ବର,: ପୂର୍ବରୁ ପୁଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ କାରବାର ଚଳାଇ ଆସୁଥିବା କୁଖ୍ୟାତ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଅନୀଲ ପାଣ୍ଡି ଏସ୍ଟିଏଫ୍କୁ ବି ପାଣି ପିଆଇଦେଇଛି। ପୁଲିସ ତା’ ଟ୍ରକ୍ରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାକୁ ସକ୍ଷମ ହୋଇଥିଲେ ବି ସେ ଚମ୍ପଟ ମାରିଛି। ତେଣୁ ତାକୁ ଏସ୍ଟିଏଫ୍ ମୋଷ୍ଟୱାଣ୍ଟେଡ୍ ଘୋଷଣା କରିଛି। ଏଭିତରେ ଏସ୍ଟିଏଫ୍ ତା’ର କୋଟି କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି।
ଆଜି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଗଞ୍ଜାମ ଜିଲ୍ଲା କୋଦଳା ଛଚିଣା ଅଞ୍ଚଳରେ ନିଶାମାଫିଆ ଅନୀଲ ପାଣ୍ଡି ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଅନୀଲ୍ର ଘର ଦେଖି ଏସ୍ଟିଏଫ୍ର ଆଖି ଖୋସି ହୋଇଯାଇଥିଲା। ତାରକା ହୋଟେଲ ପରି ଘର। ଭିତରେ ସୁଇମିଂପୁଲ୍। ହୋମ୍ ଥିଏଟର ଓ ଓପନ୍ ସ୍କାଏ ଟେରାସ୍ ଭଳି ସୁବିଧା।
ଦାମୀ ଫର୍ଣ୍ଣିଚର ଓ ହାଇଡ୍ରୋଲିକ୍ ବେଡ୍ ସହ ପାଓ୍ବାର ଓ୍ଵିଣ୍ଡୋ ଭଳି ବିଳାସମୟ ଘର। ଏହି ସମ୍ପତ୍ତିର ମୂଲ୍ୟ ଦେଢ଼ କୋଟିରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ଖାଲି ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ଥିବା ୩୩ଟି ପ୍ଲଟ ଓ ବ୍ୟାଙ୍କ ଆକାଉଣ୍ଟକୁ ଏସ୍ଟିଏଫ୍ ଠାବ କରି ସିଜ୍ କରିଛି। ଅନୀଲ ଫେରାର୍ ଥିବାରୁ ତା’ ବିରୋଧରେ କୋର୍ଟ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। ଆଜି ତାକୁ ଏସ୍ଟିଏଫ୍ ମୋଷ୍ଟୱାଣ୍ଟେଡ୍ ଘୋଷଣା କରିଛି। ତା’ର ଫଟୋ ଜାରି କରିବା ସହ ମୋବାଇଲ୍ ନମ୍ବର (୭୮୯୪୪୨୩୬୧୦) ଦିଆଯାଇଛି। ଯେଉଁମାନେ ଅନୀଲକୁ ଧରାଇବାରେ ସହଯୋଗ କରିବେ, ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଥାଉକି, ଅନୀଲ ପାଣ୍ଡି ଓ ତା’ଭାଇ ସୁନୀଲ ପାଣ୍ଡି ନିଶା କାରବାର କରି ପୁଲିସର ନିଦ ହଜାଇ ଦେଇଥିଲେ। ସେମାନେ ଓଡ଼ିଶାରୁ ଗୁଜୁରାଟ, ମହାରାଷ୍ଟ୍ର, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିଲେ। ଗତ ୨୦୨୧ରେ ଅନୀଲ କୋଲକାତାକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏସ୍ଟିଏଫ୍ ଚଢ଼ଉ କରି ବାଲେଶ୍ବର ବସ୍ତା ଅଞ୍ଚଳରୁ ୧୦ କ୍ବିଣ୍ଟାଲ୍ ଗଞ୍ଜେଇ ଓ ଟ୍ରକ୍କୁ ଜବତ କରିଥିଲା। କିନ୍ତୁ ଅନୀଲ ଫେରାର୍ ହୋଇଯାଇଥିଲା। ଏହା ପୂର୍ବରୁ ସୁନୀଲ ପାଣ୍ଡିକୁ ଗୁଜୁରାଟ ପୁଲିସ ଗିରଫ କରିଥିଲା। ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ ସେମାନଙ୍କ ନିଶା କାରବାର ଥିବାରୁ ସେଠାରେ ମଧ୍ୟ ସମ୍ପତ୍ତି ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଓଡ଼ିଶା ପୁଲିସ ଗୁଜୁରାଟ ଓ କୋଲକାତା ପୁଲିସ ସହ ଯୋଗାଯୋଗ କରିଛି।