କରୋନା ପ୍ରଭାବ: ପ୍ରମାଦ ଗଣିଲେଣି ରାଜରାସ୍ତାର ଜୀବଜନ୍ତୁ

ଭୁବନେଶ୍ବର: କରୋନା ମହାମାରୀ ପାଇଁ ଜୀବନ ଜିଇଁବା ଦୁର୍ବିସହ ହୋଇପଡ଼ିଲାଣି। ତେବେ ମଣିଷ ଅପେକ୍ଷା ରାଜରାସ୍ତାରେ ପଇଁତରା ମାରୁଥିବା ମୂକ ଜୀବଜନ୍ତୁମାନେ ଯେମିତି ଖାଦ୍ୟ ପାଇଁ ଡହଳବିକଳ ସ୍ଥିତିକୁ ଚାଲି ଆସିଲେଣି। ଗଳିକନ୍ଦିରେ ବୁଲୁଥିବା ଜୀବଜନ୍ତୁମାନଙ୍କୁ ହୁଏତ କିଛି ଲୋକେ ଖାଦ୍ୟ ଦେଇ ଦେଉଛନ୍ତି କିନ୍ତୁ ଯେଉଁମାନେ ମୁଖ୍ୟ ରାସ୍ତାକଡ଼ରେ ପଡ଼ି ରହୁଥିଲେ, ସେମାନେ ଖାଦ୍ୟ ପାଇଁ ବହୁ ଦହଗଞ୍ଜ ହେଲେଣି। ରାସ୍ତାକଡ଼ରେ ଖୋଲିଥିବା ହୋଟେଲ ଓ ରେସ୍ତୋରାଁର ଅଇଁଠା ଓ ବଳକା ଖାଦ୍ୟରେ ସେମାନେ ବଞ୍ଚି ଯାଉଥିଲେ ହେଁ ଏବେ ସେ ବାଟ ବି ବନ୍ଦ।

Image Courtesy: Wallpaper Flare

ଅବଶ୍ୟ କିଛି ବ୍ୟକ୍ତିବିଶେ‌ଷ ବୁଲା ଗାଈ, ଷଣ୍ଢ, କୁକୁରଙ୍କ ଏତାଦୃଶ ସ୍ଥିତି ଦେଖି ସେମାନଙ୍କ ମୁହଁରେ ଆହାର ଦେବାକୁ ବାହାରି ଆସିଲେଣି। ତେବେ ଏହା ଯଥେଷ୍ଟ ନୁହେଁ। ତେଣୁ କିଏ ଅଣ୍ଡା ଖୋଳକୁ କାମୁଡ଼ି ଖାଇଲାଣି ତ କିଏ ଜରି କାଗଜ ଚୋବେଇ ଗିଳି ପକାଉଛି। ପୁଣି ଗୋଟେଗୋଟେ ଡଷ୍ଟବିନ୍‌ ନିକଟରେ ଖାଦ୍ୟ ପାଇଁ ଯେମିତି ବହୁ ସଂଖ୍ୟାରେ ଗାଈ, ଷଣ୍ଢ ଓ କୁକୁର ମିଶି ପ୍ରତିଯୋଗିତା କରୁଛନ୍ତି। ଏଭଳି ଦୁର୍ଦ୍ଦିନ ସମୟ ଦେଇ ଗତି କରୁଥିବା ମାଙ୍କଡ଼ ଓ ଗୋରୁଙ୍କ ପାଇଁ ପିପୁଲ ଫର ଆନିମଲ୍‌ସ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି। କିଛି ବ୍ୟକ୍ତି ମଧ୍ୟ ନିଜର ମାନବିକତା ପ୍ରଦର୍ଶନ କରି ନିଜ ଘରେ ଖାଦ୍ୟ ରାନ୍ଧି କୁକୁରମାନଙ୍କୁ ନେଇ ପରଷୁଛନ୍ତି। ମାତ୍ର ସବୁଦିନ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର