ବାରଙ୍ଗ: ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ ଅସହ୍ୟ ଗରମ ଅନୁଭୂତ ହେଉଛି। ଭୁବନେଶ୍ବରରେ ତାପମାତ୍ରା ୪୩ ଡିଗ୍ରି ଛୁଇଁଥିବା ବେଳେ ଗରମ ସାଙ୍ଗକୁ ଗୁଳୁଗୁଳି ହେଉଛି। କେବଳ ମନୁଷ୍ୟ ନୁହେଁ ତାହାର ପ୍ରଭାବ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡ଼ିଛି। ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀଉଦ୍ୟାନ‌ରେ ଜୀବଜନ୍ତୁମାନେ ଗରମ ସହ୍ୟ କରିପାରୁ ନଥିବା ଦେଖିବାକୁ ମିଳିଛି। ସେଠାରେ ପୂର୍ବାହ୍ନ ୧୦ଟା ପ‌ରେ ଖରା ବୃଦ୍ଧି ଯୋଗୁଁ ଜୀବଜନ୍ତୁମାନେ ଛାଇର ଆଶ୍ରୟ ନେଉଛନ୍ତି। କିଏ ଗଛ ମୂଳରେ ରହୁଛି ତ ଆଉ କିଏ ପାଣି ରହିଥିବା ସ୍ଥାନରେ ରହୁଛି। ବାଘ ପାଣି କୁଣ୍ଡ ଭିତରେ, ଭାଲୁ ଜଳ ସିଞ୍ଚନ ହେଉଥିବା ସ୍ଥାନରେ ରହୁଥିବା ବେଳେ ଆଉ କିଛି ବାଘ, ଭାଲୁ, ସିମ୍ପାଞ୍ଜି, ହରିଣ, ସମ୍ବର, କୁଟୁରା ଆଦି ଗଛ ଛାଇରେ ଶୋଇ ରହୁଛନ୍ତି। ପକ୍ଷୀମାନେ ବାରମ୍ବାର କୁଣ୍ଡରୁ ପାଣି ପିଉଥିବା ଦେଖିବାକୁ ମିଳିଛି। ଖରା ଦିନକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ପୂର୍ବରୁ ଜୀବଜନ୍ତୁଙ୍କ ପାଇଁ ପ୍ରସ୍ତୁତ ରହିଛନ୍ତି।

Advertisment

ଫେବ୍ରୁଆରି ମାସରୁ ଖୁଆଡ଼ଗୁଡିକୁ ବାଉଁଶ ତାଟ ଓ ନଡ଼ା ଛପର କରାଯାଇଛି। ଖୁଆଡ଼କୁ ଥଣ୍ଡା ରଖିବା ପାଇଁ ମେସିନ୍‌ ଦ୍ବାରା ଜଳ ସିଞ୍ଚନ କରାଯାଉଛି। ଚଳିତବର୍ଷ ପ୍ରଥମଥର ତୃଣଭୋଜି ଖୁଆଡ଼ରେ ମେସିନ୍‌ ଲଗାଇ ଜଳ ସିଞ୍ଚନ ବ୍ୟବସ୍ଥା କରାଯାଇଛି। ଜୀବଜନ୍ତୁମାନଙ୍କ କ୍ଲାନ୍ତି ଦୂର ପାଇଁ ଚିକିତ୍ସକ ଦଳ ଗ୍ଲୁକୋଜ୍‌ ଆଦି ମିଶ୍ରଣ କରି ଦେଉଛନ୍ତି। ଦିନକୁ ୩ ଥର ହାତୀକୁ ଗାଧୋଇ ଦିଆଯାଉଛି। ଏହି ବ୍ୟବସ୍ଥାକୁ ନିରୀକ୍ଷଣ ପାଇଁ ୪ଟି ସ୍ବତନ୍ତ୍ର ଦଳ ଗଠନ ହୋଇଥିବା ବେଳେ ସେମାନେ ନିରୀକ୍ଷଣ ରିପୋର୍ଟ ପ୍ରଦାନ କରୁଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ୪ଟି ଶୀତଳ ପାନୀୟ ଜଳ ମେସିନ୍‌ ଲଗାଯାଇଥିବା ଏସିଏଫ୍‌ ସୂଚନା ଦେଇଛନ୍ତି। ପର୍ଯ୍ୟଟକମାନେ କିଏ ଛତା ଧରି ତ ଆଉ କିଏ ଟୋପି ପିନ୍ଧି ବୁଲୁଥିବା ବେଳେ ଆଉ କିଛି ଗଛଛାଇରେ ଆଶ୍ରୟ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।