ଭୁବନେଶ୍ବର : ସପ୍ତାହ ତଳେ ଭିଜିଲାନ୍ସ ଚଢ଼ଉ ସମୟରେ କଳାରାହଙ୍ଗ ଅଞ୍ଚଳର କୁବେର ଗ୍ରାମ ରୋଜଗାର ସେବକ(ଜିଆର୍ଏସ୍)ଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ପୁଣି ସେହି ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି। ଭିଜିଲାନ୍ସର ୯ଟି ଟିମ୍ କଟକ ଏବଂ ଭୁବନେଶ୍ବରର ୯ଟି ସ୍ଥାନରେ ଚଢ଼ଉ କରି ଶ୍ରୀ ରାଉତଙ୍କର ୭କୋଟି ୨୧ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛି। ଚଢ଼ଉରେ ୫ଜଣ ଡିଏସ୍ପି, ୧୦ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ।
୯୧ ପ୍ଲଟ୍, ୭ ଆପାର୍ଟମେଣ୍ଟ, ହୀରା, ସୁନା ଅଳଙ୍କାର ଠାବ
ଜଗନ୍ନାଥଙ୍କର ୯୧ଟି ପ୍ଲଟ୍ରୁ ୮୧ଟି ପ୍ଲଟ୍ ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିଛି। ଆଉ ୧୦ଟି ପ୍ଲଟ କଟକରେ ରହିଛି। ୯୧ଟି ପ୍ଲଟର ମୂଲ୍ୟ ୩ କୋଟି ୩୩ ଲକ୍ଷ ବୋଲି ଜଣାପଡ଼ିଛି। ଖାଲି ଏତିକି ନୁହେଁ, ରଘୁନାଥପୁର ଅଞ୍ଚଳରେ ମୋଟ ୯ଟି ଫ୍ଲାଟ, କଟକରେ ଗୋଟିଏ ଘର ରହିଛି। ଭୁବନେଶ୍ୱର ରଘୁନାଥପୁରର ରୟାଲ ଲାଗୁନରେ ୫୦ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ, ଠିକ୍ ଏହାର ପଛ ପଟକୁ ୬ ହଜାର ବର୍ଗଫୁଟର ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ରହିଛି। ଏହାର ମୂଲ୍ୟ ଏକ କୋଟି ୪୬ ଲକ୍ଷ। ସେହିପରି ରଘୁନାଥପୁରରେ ୨ ହଜାର ବର୍ଗଫୁଟ୍ ବିଶିଷ୍ଟ ଦୁଇ ମହଲା କୋଠାଘର ଏବଂ ୧୫ଶହ ବର୍ଗଫୁଟର ଏକ ମହଲା କୋଠାଘର ଠାବ ହୋଇଛି। ରଘୁନାଥପୁରର ରୟାଲ ଆର୍କେଡରେ ୩୭ଲକ୍ଷ ଟଙ୍କାର ଥ୍ରି-ବିଏଚ୍କେ ଫ୍ଲାଟ୍, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଆଉ ଏକ ୩୪ଲକ୍ଷ ଟଙ୍କାର ଥ୍ରି-ବିଏଚ୍କେ ଫ୍ଲାଟ୍ ରହିଛି। ଏହା ଛଡ଼ା ୧୦ ଗ୍ରାମ ହୀରା, ବିଭିନ୍ନ ବ୍ୟାଙ୍କରେ ୫୦୦ ଗ୍ରାମ୍ ସୁନା, ୨୫୦ ଗ୍ରାମ ରୁପା ଅଳଙ୍କାର ସହ ସାଢ଼େ ୩୯ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ଜମା, ନାମୀ ଦାମୀ ଘଣ୍ଟା, ଗୋଟିଏ କାର ମିଳିଛି। ତେବେ ସେ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ? କେଉଁଠୁ ଏତେ ଟଙ୍କା ଆଣୁଥିଲେ? ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଛି। ଏନେଇ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/vigilance-aa.jpg)