ପଶୁଙ୍କର ବି ବଞ୍ଚିବାର ସମାନ ଅଧିକାର ରହିଛି

ରାଜଧାନୀରେ ପଶୁପ୍ରେମୀ ସମାବେଶ

ଭୁବନେଶ୍ୱର: ଜୀବଜନ୍ତୁଙ୍କ ଅଧିକାର ଓ ସେମାନଙ୍କ ଲାଳନ ପାଳନ ପ୍ରତି ସଚେତନତା ସୃଷ୍ଟି ନେଇ ଆନିମଲ୍‌ େଓ୍ଵଲ୍‌ଫେୟାର ଟ୍ରଷ୍ଟ୍‍ ଏକାମ୍ର (ଏଡବ୍ଲୁଟିଇ) ପକ୍ଷରୁ ଓଡ଼ିଶା ପଶୁପ୍ରେମୀ ସମାବେଶ ତଥା କର୍ମଶାଳା ସ୍ଥାନୀୟ କିଭା ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି।

ପୋଷା ଜନ୍ତୁଙ୍କ ସହ ସଂଶ୍ଳିଷ୍ଟ ଶିଳ୍ପକୁ ନେଇ ଏଡବ୍ଲୁଟିଇର ପ୍ରତିଷ୍ଠାତା ପୂରବି ପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ‘ପପି ମିଲ୍‌ସ’ରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଭେଟ୍‌ କେୟାରର ନିର୍ଦେଶକ ଡ.ଯଶମିତ୍‌ ସିଂହ ପଶୁ ଜନ୍ମ ନିୟନ୍ତ୍ରଣ ସମ୍ପର୍କରେ ମତ ରଖି କହିଲେ, ପଶୁମାନଙ୍କର ବି ବଞ୍ଚିବାର ସମାନ ଅଧିକାର ରହିଛି। ଭାରତ ସରକାର ଏବଂ କୋର୍ଟ ପକ୍ଷରୁ ବୁଲା କୁକୁରଙ୍କୁ ମାରିବା ନିଷେଧ କରାଯାଇଛି। କେବଳ ମାଇ କୁକୁରଙ୍କ ଓଭାରି ଅପସାରଣ ଓ ଅଣ୍ଡିରା କୁକୁରଙ୍କର ବନ୍ଧ୍ୟାକରଣ ହିଁ କୁକୁର ଜନ୍ମ ନିୟନ୍ତ୍ରଣର ଏକାମାତ୍ର ବାଟ।

ଷ୍ଟେଟ୍‌ ଏସ୍‌ପିସିଏର ବରିଷ୍ଠ ଇନ୍‌ସପେକ୍ଟର ଦେବେନ୍ଦ୍ରନାଥ ନନ୍ଦ ପଶୁଙ୍କ ଅଧିକାର ଏବଂ ଏହି ଅଧିକାରଙ୍କ ଉଲ୍ଲଘଂନ କଲେ କି ଦଣ୍ଡ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ ପଶୁମାନଙ୍କ ଅଧିକାର କ୍ଷୁଣ୍ଣ ହେଲେ ମଧ୍ୟ ଆଇନ୍‌ରେ ଦଣ୍ଡ ବ୍ୟବସ୍ଥା ରହିଛି। ମାତ୍ର ତାହା ନାମକୁ ମାତ୍ର ହୋଇଥିବାରୁ ଏଥିରେ ପରିବର୍ତନର ଆବଶ୍ୟକତା ରହିଥିବା ସେ କହିଥିଲେ। ପଶୁମାନଙ୍କ ସହ ହେଉଥିବା ହିଂସ୍ର ଆଚରଣ ବିରୋଧରେ କେନ୍ଦ୍ର ସରକାର ଅନେକ ଆଇନ୍‌ ପ୍ରଣୟନ କରିଛନ୍ତି। ଏଥିସହିତ ସେ ଦି ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲ୍‌ଟି ଆନିମଲ୍‌ସ ଆକ୍‌ଟ ୧୯୬୦ ବାବଦରେ ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ। ଏଥିସହିତ କାର୍ଯ୍ୟକ୍ରମରେ ‘ସପ୍‌ ଓ୍ଵିଥ୍‌ ତନୁଜା’ ଭଳି କାର୍ଯ୍ୟକ୍ରମ ସମେତ ଚେନ୍‌ ଜୋକର୍ସ ଗ୍ରୁପ୍‌ ପକ୍ଷରୁ ଷ୍ଟ୍‍ାଣ୍ଡ୍‌ ଅପ୍‌ କମେଡ଼ିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ସ୍ଥାନରୁ ପଶୁପ୍ରେମୀମାନେ ଅଂଶଗ୍ରହର କରି ନିଜର ମତ ରଖିଥିଲେ। ପୂରବି ପାତ୍ର ଏବଂ ସହଯୋଗୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର