ଆଶୁ ପଶୁ ଚିକିତ୍ସା ଯାନ ଅଚଳ, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆମ୍ବୁଲାନ୍‌ସ-ବିଭାଗୀୟ ଅଧିକାରୀ

ଭୁବନେଶ୍ବର: ପ୍ରାଣୀ ଚିକିତ୍ସା ପାଇଁ ରହିଥିବା ଆଶୁ ପଶୁ ଚିକିତ୍ସା ଯାନ ବା ଆମ୍ବୁଲାନ୍‌ସ ଅଚଳ। ପ୍ରାଣୀ ଜନ୍ମ ନିୟନ୍ତ୍ରଣ ବା ଏବିସି କାର୍ଯ୍ୟକ୍ରମ ଓ ବିଏମ୍‌ସି ଅଞ୍ଚଳରେ ପଶୁ ଚିକିତ୍ସା ପାଇଁ ଏହି ଆମ୍ବୁଲାନ୍‌ସ ଉଦ୍ଦିଷ୍ଟ। ମାତ୍ର ସହିଦନଗରସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଅଚଳ ଅବସ୍ଥାରେ ପଡ଼ି ରହିଛି ଦୁଇ ଦୁଇଟା ଆମ୍ବୁଲାନ୍‌ସ। ଫଳରେ ପ୍ରାଣୀ ଚିକିତ୍ସକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅପରପକ୍ଷରେ ଗୋଟିଏ ଆମ୍ବୁଲାନ୍‌ସକୁ ଖୁବଶୀଘ୍ର ଚଳାଇବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଏବିସି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ପ୍ରାଣୀଧନ ଗବେଷଣା ବିକାଶ ସମିତି ବା ଓଏଲ୍‌ଆରଡିଏସ୍‌ ସହାୟତାରେ ୨୦୦୫ ମସିହାରେ ଗୋଟିଏ ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇଥିଲା। ପରବର୍ତୀ ସମୟରେ ନାଲ୍‌କୋ ପକ୍ଷରୁ ପ୍ରାଣୀ ଚିକିତ୍ସା ପାଇଁ ଆଉ ଗୋଟିଏ ଆମ୍ବୁଲାନସ ଦିଆଯାଇଥିଲା। ତେବେ ଏହି ଦୁଇଟି ଆମ୍ବୁଲାନ୍‌ସ ଏବେ ଅଚଳ ହୋଇ ପଡ଼ିଛି। ଦୀର୍ଘଦିନ ପୂର୍ବରୁ କିଣାଯାଇଥିବା ଆମ୍ବୁଲାନ୍‌ସର ଫିଟ୍‌ନେସ ସାର୍ଟିଫିକେ୍‌ଟ ନ ଥିବା ବେଳେ ନାଲକୋ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍‌ସ ଖରାପ ହୋଇଯିବା କାରଣରୁ ଅଚଳ ହୋଇଯାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଏମ୍‌ସି ଅଞ୍ଚଳରେ ଗାଈ, ଷଣ୍ଢ, କୁକୁର ଓ ଅନ୍ୟାନ୍ୟ ଜନ୍ତୁଙ୍କ ଚିକିତ୍ସା ପାଇଁ ଏକ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି। ୨୫୪୦୯୨୪ ନମ୍ବରକୁ ଡାଏଲ କରି ଲୋକମାନେ ପ୍ରାଣୀଙ୍କ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଦିନକୁ ଏଥିରେ ୩/୪ଟି କଲ୍‌ ଆସୁଥିବା ବେଳେ ମାସକ ଶହେରୁ ଅଧିକ ଲୋକ ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି। ଅନେକ କ୍ଷେତ୍ରରେ ରାଜଧାନୀ ଉପକଣ୍ଠରେ ଥିବା ଲୋକମାନେ ମଧ୍ୟ ଫୋନ୍ କରି ସହାୟତା ଲୋଡ଼ୁଛନ୍ତି। ତେଣୁ ଏ କ୍ଷେତ୍ରରେ ଆମ୍ବୁଲାନ୍‌ସଟି ବେଶ୍ ସହାୟକ ହୋଇଥାଏ। ଆମ୍ବୁଲାନ୍‌ସରେ ପ୍ରାଣୀ ଚିକିତ୍ସକଙ୍କ ସହିତ କମ୍ପାଉଣ୍ଡର, ଆବଶ୍ୟକ ଔଷଧ ଓ ଇଞ୍ଜେକସନ୍ ରହିଥାଏ। ତେବେ ଦୀର୍ଘଦିନ ‌ଧରି ଆମ୍ବୁଲାନ୍‌ସ ଅଚଳ ହୋଇ ରହିବା ଫଳରେ ପ୍ରାଣୀ ଚିକିତ୍ସକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀଙ୍କ କହିବା ମୁତାବକ, ସମିତି ସହାୟତାରେ ପୂର୍ବରୁ ଆସିଥିବା ଆମ୍ବୁଲାନ୍‌ସର ଦୀର୍ଘଦିନ ହେବ ଫିଟ୍‌ନେସ୍ ନାହିଁ। ଅପରପକ୍ଷରେ ନାଲ୍‌କୋ ପକ୍ଷରୁ ଦିଆଯାଇଥିବା ଆମ୍ବୁଲାନ୍‌ସ ପାଇଁ ଆବଶ୍ୟକ ଆର୍‌ଟିଓ ଓ ଏମ୍‌ଭିଆଇଙ୍କ ଅନୁମତି ନିଆସରିଛି। ଆମ୍ବୁଲାନ୍‌ସରେ ଯେଉଁ ସମସ୍ୟା ରହିଛି ତାହାର ମରାମତି ପାଇଁ ଗାଡ଼ିକୁ ଗ୍ୟାରେଜ୍ ପଠାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ପରେ ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିବ। ଏବିସି କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍‌ସର ରକ୍ଷଣାବେକ୍ଷଣ ଖର୍ଚ ବିଏମ୍‌ସି ବହନ କରୁଥିବା ବେଳେ ହେଲ୍‌ପଲାଇନ୍ ନମ୍ବର ପାଇଁ ଥିବା ଆମ୍ବୁଲାନ୍‌ସର ଖର୍ଚ ବିଭାଗ ବହନ କରିଥାଏ। ଏବେ ପ୍ରାଣୀ ଚିକିତ୍ସକମାନେ ନିଜସ୍ବ ଖର୍ଚରେ ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ଯାଉଛନ୍ତି। ଏପରିକି ବିଏମ୍‌ସି ବାହର ଅଞ୍ଚଳରୁ ଚିକିତ୍ସା ପାଇଁ ଯେଉଁ କଲ୍ ଆସୁଛି ତାହାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ପ୍ରାଣୀଙ୍କ ଚିକିତ୍ସାକୁ ଚିକିତ୍ସକମାନେ ସହିଷ୍ଣୁତାର ସହିତ ଗ୍ରହଣ କରୁଛନ୍ତି ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର