ମିଛଧରା ପରୀକ୍ଷା ଶେଷ ଭରସା: ମନୀଷକୁ କେମିତି ମାରିଲ?

୯ ଘଣ୍ଟାରେ ତିନି ଅଭିଯୁକ୍ତଙ୍କୁ ୧୭୩ ପ୍ରଶ୍ନ, ରହସ୍ୟ ଭେଦ କରିପାରିବ ତ ପୁଲିସ?

ଭୁବନେଶ୍ୱର : ମନୀଷ ସାଙ୍ଗରେ ହୋଟେଲ ଭିତରେ ବିଲ୍‌ ପେମେଣ୍ଟକୁ ନେଇ କାହା ସହ ହୋଇଥିଲା ପାଟିତୁଣ୍ଡ? ହୋଟେଲ ବାହାରେ ତାଙ୍କୁ କିଏ ମାଡ଼ ମାରିଥିଲା? ତାଙ୍କୁ ତଣ୍ଟି ଚିପି କିମ୍ବା ମୁହଁ ଚାପି ହତ୍ୟା କରିଛ କି? ହତ୍ୟା କରିବା ପରେ ତିନିଜଣ ମୃତଦେହକୁ ନେଇ ପୋଖରୀରେ ଫିଙ୍ଗିଛ? କେମିତି ନେଲ କାର୍‌ରେ ନା ଟେକିଟେକି? ତାଙ୍କ ସହ ପୂର୍ବରୁ କିଛି ଶତ୍ରୁତା ରହିଥିଲା କି? ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା କି?

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ରହସ୍ୟ ଉପରୁ ଏଯାଏ ପରଦା ଉଠାଇ ପାରି ନ ଥିବା ପୁଲିସର ଏବେ ଶେଷ ଭରସା ପାଲଟିଛି ମିଛଧରା ପରୀକ୍ଷା। କୋର୍ଟଙ୍କ ଅନୁମତି ମିଳିବା ପରେ ଆଜି ୩ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ମିଛଧରା ପରୀକ୍ଷା କରାଯାଇ ସେମାନଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି।

ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ କମିସନରେଟ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ଯାହାଫଳରେ ହତ୍ୟାକାଣ୍ଡର ୧୬ ଦିନ ପରେ ଏବେ ମିଛଧରା ପରୀକ୍ଷାର ସହାୟତା ନେଇଛି। ଆଜି ପୂର୍ବାହ୍ନ ୯ଟା ୪୫ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ପ୍ରାୟ ୯ ଘଣ୍ଟା ଧରି ଜଣଙ୍କ ପରେ ଜଣେ ତିନି ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଲାଗି ୧୭୩ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା। ଅଧିକାଂଶ ପ୍ରଶ୍ନରେ ସେମାନେ ହଡ଼ବଡ଼େଇ ଯାଇଥିଲେ। ଏହି ପରୀକ୍ଷାର ରିପୋର୍ଟ ପୁଲିସକୁ ଖୁବଶୀଘ୍ର ମିଳିବ ବୋଲି ଜଣାପଡ଼ିଛି। ଏହି ରିପୋର୍ଟ ଆଧାରରେ ପୁଲିସ ତଦନ୍ତ ଆଗକୁ ବଢ଼ାଇବ। କିନ୍ତୁ ତଦନ୍ତ ଏବଂ ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କ ଠାରୁ ଘଟଣା ସମ୍ପର୍କରେ ସେମିତି କିଛି ତଥ୍ୟ ହାସଲ କରିପାରି ନ ଥିବା ପୁଲିସକୁ ମିଛଧରା ପରୀକ୍ଷା ରିପୋର୍ଟ କେତେ ସହାୟକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ଅଭିଯୁକ୍ତ ବିଚାରୀଧୀନ କଏଦୀ ଥିବାରୁ ତାଙ୍କ ସମ୍ମତିରେ ଏହି ପରୀକ୍ଷା କରାଯାଇଥାଏ। ଏହା ତଦନ୍ତରେ ସହାୟକ ହୋଇପାରିବ, କିନ୍ତୁ ପରୀକ୍ଷା ରିପୋର୍ଟ ବଳରେ କୋର୍ଟରେ ଦୋଷୀ ପ୍ରମାଣିତ କରାଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ, ଚଳିତମାସ ୯ ତାରିଖରେ ମନୀଷଙ୍କୁ ବନ୍ଧୁ ଅମ୍ରିତ ଓ ଅନ୍ୟ ଦୁଇ ସାଥୀ ଦୀନେଶ ଏବଂ ମୃତ୍ୟୁଞ୍ଜୟ ସହ ଏକ କାର୍‌ରେ ପଟିଆରୁ ବ୍ୟାଚେଲର ପାର୍ଟି ଦେବା ବାହାନାରେ ଉଠାଇ ଆଣିଥିଲେ। ସେମାନେ ଲକ୍ଷ୍ମୀସାଗର ଅଞ୍ଚଳର ଏକ ବାର୍‌କୁ ଯିବା ପରେ ମଧ୍ୟରାତ୍ରିରେ ପାତ୍ରପଡ଼ା ସାଉଥ୍ ସିଟି ହୋଟେଲ ଓ ବାର୍‌କୁ ଯାଇଥିଲେ। ସେଠାରେ ରାତି ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ ଖାଇପିଇ ମଉଜ କରିଥିଲେ। ବିଳମ୍ବିତ ରାତିରେ ମନୀଷ ଘରକୁ ଫୋନ୍ କରି ତାଙ୍କୁ ଅଟକ ରଖାଯିବା ସହ ମାରପିଟ୍ କରାଯାଉଥିବା କହିଥିଲେ। ଏହା ପରେ ପରିବାର ଲୋକ ତାଙ୍କ ଆକାଉଣ୍ଟକୁ ୮ ହଜାର ଟଙ୍କା ପଠାଇଥିଲେ। ତେବେ ମନୀଷଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା। ପରିବାର ଲୋକ ଥାନାରେ ଏତଲା ଦେବା ପରଦିନ ଅର୍ଥାତ୍ ୧୦ ତାରିଖରେ ପାତ୍ରପଡ଼ା ନମ୍ରକାଣି ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବାର୍‌ ବିଲ୍‌ ପେମେଣ୍ଟକୁ କେନ୍ଦ୍ରକରି ପାଟିତୁଣ୍ଡ ଓ ଠେଲା‌ପେଲାରୁ ମନୀଷଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ତେବେ ଏହି ଘଟଣାରେ ପୁଲିସ ଅନେକ ରହସ୍ୟ ଉନ୍ମୋଚନ କରିପାରି ନ ଥିଲା। ଯେମିତି ଦୀନେଶ ଓ ମୃତ୍ୟୁଞ୍ଜୟକୁ ମନୀଷ ଚିହ୍ନି ନ ଥିବା ବେଳେ ଅମ୍ରିତ ତାଙ୍କ ସାଙ୍ଗ ଥିଲା। କିନ୍ତୁ କାହା ସହ ବାର୍‌ରେ ବଚସା ହୋଇଥିଲା, କିଏ ତାଙ୍କୁ ହତ୍ୟା କରିଥିଲା, ନା ତିନିଜଣ ମାଡ଼ ମାରିବାକୁ ତାଙ୍କର ମୃତ୍ୟୁ ହୋଇଥିଲା ଏ ସବୁ ଦିଗ ଏବେ ମଧ୍ୟ ଅସମାହିତ ହୋଇ ରହିଛି।

ସମ୍ବନ୍ଧିତ ଖବର