‘ଅଞ୍ଜଳି ଜାତୀୟ ଶିଶୁ ଓ ଯୁବ ମହୋତ୍ସବ’ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: ନିଆରା ଢଙ୍ଗରେ ଆରମ୍ଭ ହୋଇଛି ‘ଅଞ୍ଜଳି ଜାତୀୟ ଶିଶୁ ଓ ଯୁବ ମହୋତ୍ସବ’। ପ୍ରତିବର୍ଷ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ଏଥର ଚନ୍ଦ୍ରଶେଖପୁରସ୍ଥିତ ରେଲ୍‌ୱେ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଛି। ଭାରତୀୟ ବିଦ୍ୟାଭବନ ଭୁବନେଶ୍ବର କେନ୍ଦ୍ରର ଅଧ୍ୟକ୍ଷ ମେଜର ଜେନ‌େରାଲ ବସନ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିବା ସହ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥିଲେ। କମୋଡର ଅଜୟ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଭୁବନେଶ୍ବରର କ୍ୟାଲେଣ୍ଡର ବର୍ଷରେ ଅଞ୍ଜଳି ମହୋତ୍ସବ ସାମିଲ ହୋଇପାରିଛି। ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍‌କୁ ନେଇ ଏହି ମହୋତ୍ସବ ହେଉଥିବା ବେଳେ ଏଥର ଥିମ୍‌ ରହିଛି ‘ସଶକ୍ତ’। ଦିବ୍ୟାଙ୍ଗମାନେ ନିଜକୁ କିଭଳି ସଶକ୍ତ କରିପାରିବେ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ।

‘ସ୍ବାଭିମାନ’ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୁତି ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଲେ ଶିଶୁମାନେ ନୃ୍ତ୍ୟ, ସଙ୍ଗୀତରେ ନିଜର ପାରଦର୍ଶିତା ଦେଖାଇବାର ସମୟ ଆସିଛି। ପ୍ରତିବର୍ଷ ଶିଶୁମାନଙ୍କୁ ନେଇ ଏହି ଉତ୍ସବ ହେଉଥିବା ବେଳେ ଏଥର ଯୁବକଙ୍କୁ ସାମିଲ କରାଯାଇଛି। ଚଳିତବର୍ଷ ଉତ୍ସବରେ ୩୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ଜମ୍ମୁ ଓ କଶ୍ମୀର, ହରିୟାଣା, ମଧ୍ୟପ୍ରଦେଶ, ସିକିମ୍‌, ନାଗାଲାଣ୍ଡ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁର ପ୍ରତିନିଧି ଦଳ ସାମିଲ ହୋଇଛନ୍ତି ବୋଲି କହିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମହୋତ୍ସବ ଅବସରରେ ମ୍ୟାଜିକ୍‌ ସୋ’ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ଏଥିସହ ଶିଶୁ ଚଳଚ୍ଚିତ୍ର ମହୋତ୍ସବ, ସ୍ବତନ୍ତ୍ର ସୋ’, ଫୁଡ୍‌ ଷ୍ଟଲ୍‌, ଗେମ୍‌ ଜୋନ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ଟା‌ଟୁ, ସଙ୍ଗୀତ, ନୃତ୍ୟ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ସମ୍ବନ୍ଧିତ ଖବର