ସଂକ୍ରମିତଙ୍କ ଦେବଦୂତ: ଜୀବନକୁ ବାଜି ଲଗାଇ ସେବା ଦେଉଛନ୍ତି ଅଞ୍ଜନ, ପ୍ରତାପ

ବସ୍ତି, ଗଳିକନ୍ଦି ସମେତ ଜନଗହଳିପୂର୍ଣ୍ଣ ସ୍ଥାନକୁ ମାଗଣାରେ କରୁଛନ୍ତି ସାନିଟାଇଜ୍‌
ଆକ୍ରାନ୍ତଙ୍କୁ ଘରେ ଖାଦ୍ୟ ଯୋଗାଇ ଦେଉଛନ୍ତି

ଚନ୍ଦ୍ରଶେଖରପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ଦିନିଆ ଲକ୍‌ଡାଉନ୍‌ କରାଯାଇଛି। ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା ଲାଗି ସରକାର ଯେଉଁ ଆହ୍ବାନ ଦେଇଛନ୍ତି, ତାହାକୁ କାର୍ଯ୍ୟରେ ଲଗାଇଛନ୍ତି ସହରର ଦୁଇଜଣ କରୋନାଯୋଦ୍ଧା। ‌ଅଞ୍ଜନ ନାଥ ଓ ପ୍ରତାପ ସାହୁ। ଏହି ଦୁଇଜଣ କରୋନାର ପ୍ରଥମ ଲହରରେ ଜୀବନକୁ ବାଜିରେ ଲଗାଇ ଲୋକଙ୍କୁ ସେବା ଯୋଗାଇ ଦେଉଥିଲେ। ଏଥର ବି ସେମାନେ ଆଗକୁ ଆସି ଲୋକଙ୍କୁ ଅନବରତ ଭାବେ ସେବା ଯୋଗାଇ ଦେଉଛନ୍ତି। ବସ୍ତି, ଗଳିକନ୍ଦି ଅଞ୍ଚଳରେ ସାନିଟାଇଜ୍‌ କରିବାଠାରୁ ଆରମ୍ଭ କରି ଗରିବଙ୍କୁ ଖାଦ୍ୟ ବାଣ୍ଟିବା ଓ ସଚେତନ କରାଇବାକୁ ପଛାଉ ନହାନ୍ତି।

ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି ସେବା ଯୋଗାଇ ଦେଉଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ଓ ବେସରକାରୀ ଅଫିସ୍‌, ବସଷ୍ଟାଣ୍ଡ, ସରକାରୀ, ବେସରକାରୀ ବସ୍‌, ରେଲୱେ ଷ୍ଟେସନ୍‌, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ରହଣିସ୍ଥଳୀ, ସୂଚନା ଭବନ, ସାମ୍ବାଦିକ ଭବନ, ରବୀନ୍ଦ୍ର ମଣ୍ଡପ, ବସ୍ତି ଅଞ୍ଚଳ, ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମାଗଣାରେ ବିଶୋଧନ କରିବା ସହ ଲୋକଙ୍କୁ ମାସ୍କ, ସାନିଟାଇଜର୍‌, ସାବୁନ ବଣ୍ଟନ କରୁଛନ୍ତି। କରୋନାଠାରୁ ଦୂରେଇ ରହିବା ପାଇ ସଚେତନ କରିବା ସହ ଅକ୍ସିମିଟର ଦ୍ବାରା ଲୋକଙ୍କ ଅମ୍ଲଜାନ ପରୀକ୍ଷା କରାଉଛନ୍ତି। କରୋନାର ପ୍ରଥମ ଲହର ସମୟରେ ବି ପ୍ରତାପ ଦୈନିକ ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବିଶୋଧନ କରିବା ସହ ଗରିବ ଅସହାୟ ଲୋକଙ୍କୁ ମାଗଣାରେ ମାକ୍ସ, ସାନିଟାଇଜର୍‌, ସାବୁନ୍‌ ଓ ରନ୍ଧାଖାଦ୍ୟ ଆଦି ପ୍ରଦାନ କରିଥି‌ଲେ। ଆଗକୁ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ସାହୁ କହିଛନ୍ତି।

ସେହିପରି ସାଲିଆସାହି ସମେତ ଆଖପାଖ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗି ପଡ଼ିଛନ୍ତି ସମାଜ‌େସବୀ ଅଞ୍ଜନ ନାଥ। ନିଜର ଦୁଇଟି ସାନିଟାଇଜ୍‌ ମେସିନ୍‌ ଧରି ସେ ବସ୍ତିକୁ ବସ୍ତି ବୁଲି ସାନିଟାଇଜ୍‌ କରୁଛନ୍ତି। ଯେତେବେଳେ ରାଜ୍ୟ ସରକାର ବିଶୋଧନ ବ୍ୟବସ୍ଥାକୁ ବନ୍ଦ କରିଦେଇଛନ୍ତି, ସେଭଳି ସମୟରେ ଅଞ୍ଜନ ଲୋକଙ୍କ ଘର ସମେତ ଅଫିସ୍‌କୁ ଯାଇ ମାଗଣାରେ ବିଶୋଧନ କରୁଛନ୍ତି। ଫୋନ୍‌ କଲ୍‌ ପାଇବା କ୍ଷଣି ସେବା ଯୋଇବାକୁ ପହଞ୍ଚି ଯାଉଛନ୍ତି। ଗରିବ ଓ ଅସହାୟ ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଉଥିବା ବି ଦେଖିବାକୁ ମିଳୁଛି। ନୟାପଲ୍ଲୀ, ଆଇଆର୍‌ସି ଭିଲେଜ୍‌, ଜୟଦେବ ବିହାର, ଜାଭିଅର୍‌ ଛକ, ମୈତ୍ରୀବିହାର ଆଦି ଅଞ୍ଚଳ ବୁଲି କ‌ରୋନାର ଭୟାବହତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଉଛନ୍ତି। କରୋନା ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ରହିଥିବା ବ୍ୟକ୍ତିଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାରେ ବି ହେଳା କରୁନାହାନ୍ତି। ଆଗକୁ ବି ଲୋକଙ୍କ ସେବା ଜାରି ରଖିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର