ଭୁବନେଶ୍ବର : ଦୀର୍ଘ ୨୨ ବର୍ଷ ପରେ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ଶେଷ ତଥା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଗିରଫ ହେବା ପରେ ମାମଲା ଦାୟିତ୍ବରେ ଥିବା ସିବିଆଇ ତତ୍ପର ହୋଇଉଠିଛି। ବିବନକୁ ଖୋଜି ଖୋଜି ନୟାନ୍ତ ହେବା ପରେ ଚୁପ୍ ବସି ପଡ଼ିଥିବା ସିବିଆଇ ଏବେ ପୁଣି ବିବନକୁ କାଠଗଡ଼ାରେ ଠିଆ କରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ତେଣୁ ଖୁବ୍ଶୀଘ୍ର ସିବିଆଇ ଏସ୍ପି ଭୁବନେଶ୍ବର ଆସି ମାମଲାର ଖୋଳତାଡ଼ କରିବେ ବୋଲି ସୂଚନା ମିଳିଛି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀମାନେ ମାମଲାକୁ ପରିଚାଳନା କରିବେ। ତେଣୁ ସିବିଆଇ ଏସ୍ପିଙ୍କ ଗସ୍ତ ପରେ ବିବନକୁ ନେଇ ରିମାଣ୍ଡଠାରୁ ଆରମ୍ଭ କରି ଟିଆଇ ପରେଡ୍ ପର୍ଯ୍ୟନ୍ତ ତଦନ୍ତର ବିଭିନ୍ନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି।
ଗତକାଲି ସିବିଆଇ ଓକିଲ ଓ ଜଣେ ଅଧିକାରୀ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ବିବନକୁ ଗିରଫ କରାଯାଇଥିବା ବିବରଣୀ ସଂଗ୍ରହ କରିଥିଲେ। ବିବନକୁ ଧରିବା ପାଇଁ କମିସନରେଟ୍ ପୁଲିସର ଅପରେସନ୍ ‘ସାଇଲେଣ୍ଟ୍ ଭାଇପର୍’ ବାବଦରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଆଜି ମିଳିଥିବା ସୂଚନାନୁସାରେ, ଦୁଇ ଦିନ ଭିତରେ ସିବିଆଇ ଏସ୍ପି ଭୁବନେଶ୍ବରରେ ପହଞ୍ଚିବେ। ସେ ଆସିବା ପରେ ମାମଲା ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ବିବନକୁ ରିମାଣ୍ଡ୍ ଅଣାଯାଇପାରେ। ଟିଆଇ ପରେଡ୍ କରାଯାଇପାରେ। ସେହିଭଳି ଏତେ ବର୍ଷ ଧରି ବିବନ ଫେରାର୍ ରହିବା ପଛରେ କାହାର ହାତ ରହିଛି, ସେ ବାବଦରେ ମଧ୍ୟ ଛାନ୍ଭିନ୍ କରାଯିବ। ବିବନ ପରିବାର ପକ୍ଷରୁ ଦାବି କରାଯାଉଛି ଯେ ସେ ୨୨ବର୍ଷ ଧରି ଆଦୌ ପରିବାରର କାହା ସହ ସଂସ୍ପର୍ଶରେ ନଥିଲା। କିନ୍ତୁ କମିସନରେଟ୍ ପୁଲିସର ଅପରେସନ୍ କହୁଛି ଯେ ବିବନ ପରିବାର ସଂସ୍ପର୍ଶରେ ଥିଲା। ପୁନେରୁ ଟଙ୍କା ପଠାଉଥିଲା। ତେଣୁ ସିବିଆଇ ବିବନର ପରିବାରଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବ ବୋଲି ସ୍ପଷ୍ଟ ହୋଇଛି। ପରିବାର ସଦସ୍ୟମାନେ ବିବନକୁ ଚିହ୍ନିବା ପାଇଁ ମନା କରିଦେଇଛନ୍ତି। କିନ୍ତୁ କମିସନରେଟ୍ ପୁଲିସ ଜବତ କରିଥିବା ବିଭିନ୍ନ କାଗଜପତ୍ରରୁ ସେ ବିବନ ବୋଲି ପୁଲିସ ଯଥେଷ୍ଟ ପ୍ରମାଣ ପାଇସାରିଛି। ଆବଶ୍ୟକ ହେଲେ ବିବନ ଓ ତାଙ୍କ ପୁଅର ଡିଏନ୍ଏ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/cbi.jpg)