ଭୁବନେଶ୍ବର/ବାରଙ୍ଗ/ତ୍ରିଶୁଳିଆ : ଶୁକ୍ରବାର ଭୋର ପ୍ରାୟ ୬ଟା। ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ନେଇ ରାଜଧାନୀ ଉପକଣ୍ଠ ବାରଙ୍ଗ ଥାନା ବେଲଗଛିଆରେ ହଠାତ୍ ପହଞ୍ଚିଥିଲା ପୁଲିସ ଗାଡ଼ି। ପଛେ ପଛେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି। ଏମାନଙ୍କୁ ଦେଖି ଲୋକଙ୍କର ମଧ୍ୟ ଗହଳି ଲାଗିଗଲା। ଯେଉଁ ଯେଉଁ ସ୍ଥାନରେ ୨୨ ବର୍ଷ ତଳେ ଏଭଳି ଏକ ଜଘନ୍ୟ ଘଟଣା ଘଟିଥିଲା, ବିବନକୁ ସେହି ସବୁ ସ୍ଥାନକୁ ନେଇ ଗୋଟି ଗୋଟି କରି କ୍ରାଇମ ସିନ୍ ରିକ୍ରିଏସନ୍ କରିଥିଲା ସିବିଆଇ ତଦନ୍ତକାରୀ ଟିମ୍। କାର୍ରେ ଅଞ୍ଜନା ମିଶ୍ରଙ୍କୁ ଅପହରଣ କରିବାଠାରୁ ଆରମ୍ଭ କରି ଦୁଷ୍କର୍ମ ପର୍ଯ୍ୟନ୍ତ ଗୋଟି ଗୋଟି କରି ବଖାଣିଥିଲା ବିବନ।
ଆଜି ଭୋର ପ୍ରାୟ ୫ଟାରେ ସିବିଆଇ ଟିମ୍ ବିବନକୁ ଧରି ପ୍ରଥମେ ବାରଙ୍ଗ ଥାନାରେ ପହଞ୍ଚିଥିଲା। ସେଠାରୁ ବାରଙ୍ଗ ଆଇଆଇସି ଶଶୀକାନ୍ତ ରାଉତ ଓ ପୁଲିସର କଡ଼ା ସୁରକ୍ଷା ବଳୟରେ ବିବନକୁ ବେଲଗଛିଆ ପଞ୍ଚାୟତ ଅଧୀନସ୍ଥ ନୟାପାଟଣାକୁ ନିଆ ଯାଇଥିଲା। ସେଠାରେ ସିନ୍ ରିକ୍ରିଏସନ୍ ସରିବା ପରେ ପ୍ରତାପ ନଗରୀ ମଧ୍ୟ ଭାଗରେ ପୂର୍ବରୁ ଥିବା କାଜୁ ଜଙ୍ଗଲରେ ପହଞ୍ଚିଥିଲା ଟିମ୍ । ବିବନ କିପରି ଏଠାରେ ସେହି ଜଘନ୍ୟ ଅପରାଧ ଘଟାଇଥିଲା ସେ ସ୍ଥାନକୁ ନିଜେ ତଦନ୍ତକାରୀ ଟିମ୍କୁ ଚିହ୍ନାଇଥିଲା। ସିବିଆଇ ନିକଟରେ ଅପରାଧ ସ୍ବୀକାର ମଧ୍ୟ କରିଥିଲା। ସିନ୍ ରିକ୍ରିଏସନ୍ ଶେଷ ହେବା ପରେ ବିବନକୁ ବାରଙ୍ଗ ଥାନା ନିଆଯାଇ ଏକ ରୁଦ୍ଧଦ୍ବାର କୋଠରିରେ ରଖାଯାଇଥିଲା। ସିବିଆଇର ପୂର୍ବ ଯୋଜନା ମୁତାବକ, ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ସେହି କୋଠରିକୁ ଡକା ଯାଇଥିଲା। ସେମାନେ ବିବନକୁ ଚିହ୍ନଟ କରିଥିଲେ। ବିବନ ମଧ୍ୟ ସେମାନଙ୍କୁ ଚିହ୍ନି ତାଙ୍କ ନାମ କହିଥିଲା। ନିଜ ଗାଁ ନରଣପୁରର ସୁରେନ୍ଦ୍ର ବିଶ୍ବାଳଙ୍କୁ ସୁର ବୋଲି ଡାକିଥିଲା ଏବଂ କେମିତି ଅଛ ବୋଲି ମଧ୍ୟ ପଚାରିଥିଲା। ସେହିପରି ପାଖ ଗାଁ ଜଇପୁରର ଅଶୋକ କୁମାର ରାଉତଙ୍କୁ ମଧ୍ୟ ନାଁ ନେଇ ଡାକିଥିଲା। ଦୁଇ ଦିନର ତଦନ୍ତ ପ୍ରକ୍ରିୟାର ଅଡିଓ ଏବଂ ଭିଡିଓ ରେକର୍ଡିଂ କରାଯାଇଥିବାବେଳେ ଏସବୁ ସିବିଆଇ ପାଇଁ ବଡ଼ ପ୍ରମାଣ ହେବ ବୋଲି କୁହାଯାଉଛି।
ଖାଲି ସେତିକି ନୁହେଁ, ସିବିଆଇ ନିକଟରେ ବିବନ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ବିବନ ବିଗତ ୫ ବର୍ଷ ହେଲା ପରିବାର ଲୋକଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲା। ଏପରିକି ମଝିରେ ମଝିରେ ଘରକୁ ଆସୁଥିଲା। ସେହି ସମୟରେ ଘଟଣାସ୍ଥଳକୁ ଯାଇ ବୁଲି ଆସୁଥିଲା। ଘଟଣାସ୍ଥଳରେ ଅନେକ ପରିବର୍ତ୍ତନ ହୋଇ ଯାଇଥିଲା। କିନ୍ତୁ ସେହି ଜାଗାକୁ ସେ ଭୁଲି ନ ଥିଲା। ଆଜି ସେ ଯେଉଁଭଳି ଢଙ୍ଗରେ ଜାଗା ଚିହ୍ନଟ କରୁଥିଲା; ସେଥିରୁ ସବୁ କିଛି ସ୍ପଷ୍ଟ ହୋଇ ଯାଉଥିଲା। ବିବନକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। କ୍ରାଇମ ସିନ୍ ରିକ୍ରିଏସନ୍ ଶେଷ ହେବା ପର୍ଯ୍ୟନ୍ତ ଲୋକେ ତା’ ପଛେ ପଛେ ରହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଜି ଦିନତମାମ୍ ଆଲୋଚନା ଚାଲିଥିଲା। କ୍ରାଇମ ସିନ୍ ରିକ୍ରିଏସନ୍ ପରେ ବିବନର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏମ୍ସକୁ ନିଆ ଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ସିବିଆଇ ଅଫିସକୁ ନିଆ ଯାଇ ଅଧିକ ପଚରାଉଚରା କରା ଯାଇଥିଲା। କେମିତି ଫେରାର ହେଲା ଓ କିଏ ତାକୁ ସହଯୋଗ କରିଥିଲା ସେ ସମ୍ପର୍କରେ ମଧ୍ୟ ସିବିଆଇ ଜାଣିବାକୁ ପାଇଛି। କିନ୍ତୁ ଏ ସମ୍ପର୍କରେ ମୁହଁ ଖୋଲି ନାହିଁ। ରିମାଣ଼୍ଡ ଅବଧି ଶେଷ ହୋଇଥିବାରୁ ଅପରାହ୍ନରେ ବିବନକୁ ତଦନ୍ତକାରୀ ଟିମ୍ ସ୍ବତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ହାଜର କରିଥିଲା। ବିବନର କେହି ଜାମିନ ଆବେଦନ କରି ନ ଥିଲେ। ତେଣୁ ବିବନକୁ ପୁଣି ବିଚାର ବିଭାଗୀୟ ହାଜତକୁ ପଠା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରି ୯ ତାରିଖ ରାତିରେ ଅଞ୍ଜନା ଗଣଦୁଷ୍କର୍ମ ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଦୀର୍ଘ ୨୨ ବର୍ଷ ପରେ ଗତ ମାସ ୧୯ ତାରିଖରେ କମିସନରେଟ୍ ପୁଲିସ ମୁଖ୍ୟ ଅଭିଯୁକ୍ତ ବିବନକୁ ମହାରାଷ୍ଟ୍ର ପୁଣେ-ଲୋନାୱାଲା ରାସ୍ତାର ଆମ୍ବିଭାଲି ନିକଟରୁ ଗିରଫ କରି ଭୁବନେଶ୍ବର ଆଣିଥିଲା। ଗତ ୩ ତାରିଖରେ ଜେଲ୍ ଭିତରେ ହୋଇଥିବା ଟିଆଇ(ଚିହ୍ନଟ) ପରେଡ୍ରେ ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା। ଆଜିର ଏହି ସ୍ଥାନ ଚିହ୍ନଟ ପ୍ରକ୍ରିୟାରେ ସିବିଆଇର ୫ଜଣିଆ ଦଳ ସହ ସିବିଆଇ ଇନସପେକ୍ଟର ସୁଜିତ ପଲ ଓ ତାଙ୍କ ସହଯୋଗୀଙ୍କ ସହ ବାରଙ୍ଗ ଥାନା ଅଧିକାରୀ ଉପସ୍ଥିତ ଥିଲେ।