‌ଶେଷ ହେଲା ଅଙ୍କୁର ଶିଶୁ ଉତ୍ସବ

ଭୁବନେଶ୍ବର : ଅଙ୍କୁର ପ୍ଲେ ସ୍କୁଲ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ‘ଶିଶୁ ଉତ୍ସବ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ‘ଶିଶୁ ସାହିତ୍ୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଲେଖିକା ସ୍ବପ୍ନା ବେହେରା, ଶିଶୁ ସାହିତ୍ୟିକ ଉଦ୍ଧବ ଚରଣ ନାୟକ ଓ ବିରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ସର୍ବଦା ସତ କରିବାକୁ ପରାମର୍ଶ ଦେଇଥିଲେ। ସତଠାରୁ ବଡ଼ ଶକ୍ତି ସଂସାରରେ କିଛି ନାହିଁ। ଏଣୁ ସର୍ବଦା ସତ କହିବା ଦ୍ବାରା ଆମେ ନିର୍ଭୀକ ହୋଇଥାଉ ବୋଲି ଅତିଥିମାନେ ଶିଶୁମାନଙ୍କୁ ବୁଝାଇଥିଲେ। ଏଥିସହ ଓଡ଼ିଆ ଭାଷା ବା ଯେକୌଣସି ଭା‌ଷାକୁ ଉଚିତ ସମ୍ମାନ ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମର ଶେଷ ଅଧିବେଶନ ତଥା ଉଦ୍‌ଯାପନୀ ସମାରୋହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ସାମଲ ପିଲାମାନଙ୍କ ଗହଣରେ କେକ୍‌ କାଟି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ପ୍ରଦୀପ ବିଶ୍ବାଳ ଓ ରାଜ୍ୟ ସୂଚନା କମିସନର୍ ଶଶିପ୍ରଭା ବିନ୍ଧାଣି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶେଷରେ ଶିଶୁ ଉତ୍ସବରେ ଆୟୋଜିତ ଗପକୁହା, ଚିତ୍ରାଙ୍କନ, ନୃତ୍ୟ, କବିତା ଆବୃତ୍ତି, କୌତୁକ ପୋଷାକ, ରାଇମ୍‌ସ୍‌ ଓ ଫେସନ ସୋ’ ଆଦିର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଙ୍କୁର ସ୍କୁଲର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା ପରିଚାଳନା କରିଥିଲେ। ଶୁ‌ଭୋଜିତ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର