ଅଙ୍କୁର ଶିଶୁ ଉତ୍ସବ : ଦିନକୁ ୨ ଘଣ୍ଟା ଅନ୍ୟ ପାଇଁ ଚିନ୍ତା କର

ଭୁବନେଶ୍ବର : ଭଲ ମଣିଷ ହେବା ଅର୍ଥ ନୁହେଁ, ଡାକ୍ତର କି ଇଂଜିନିୟର ହେବା। ବରଂ ନିଜ ସହ ଅନ୍ୟ ପାଇଁ ଚିନ୍ତା କରିବା ହେଉଛି ଭଲ ମଣିଷର ଲକ୍ଷଣ। ତେଣୁ ୨୪ ଘଣ୍ଟାରୁ ୨ ଘଣ୍ଟା ଅନ୍ୟ ପାଇଁ ଚିନ୍ତା କର। ଏପରି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ। ଗୀତଗୋବିନ୍ଦ ସଦନରେ ଆଜିଠୁ ଆରମ୍ଭ ହୋଇଥିବା ‘ଅଙ୍କୁର ଶିଶୁ ଉତ୍ସବ’କୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ଉଦ୍ଦେଶ୍ୟରେ କହିଲେ, ମା’ର ଭାଷାକୁ ଭଲପାଅ। ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ କହିଲେ, ପିଲାମାନଙ୍କୁ ଭାଷା, ଆଚରଣ ଓ ଚରିତ୍ର ନିର୍ମାଣରେ ସହଯୋଗ କର। ପିତାମାତାଙ୍କ ଉଦ୍ଦେଶ୍ୟରେ କହିଲେ, ପିଲାଙ୍କ ଉପରେ ଜବରଦସ୍ତ ମତ ନ ଲଦି ସେମାନଙ୍କୁ ବୃତ୍ତି ଚୟନର ସ୍ବାଧୀନତା ଦିଅ।

କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ମହେନ୍ଦ୍ର କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମା, ମାତୃଭୂମି ଓ ମାତୃଭାଷାକୁ ନେଇ ଅଗ୍ରସର ହେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପିଲାଙ୍କ ଉପରେ ନିଜ ମହାତ୍ବାକାଂକ୍ଷାକୁ ଲଦିଦେବା ସୁସମାଜର ଲକ୍ଷଣ ନୁହେଁ। ତେଣୁ ଆଜିର ପିଲାମାନଙ୍କୁ ଶୈଶବକୁ ଉପଭୋଗ କରିବାକୁ ସୁଯୋଗ ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିକ୍ଷାବିତ୍‌ ତଥା ନାଲ୍‌କୋ ମହିଳା ଫୋରମ୍‌ର ସଭାନେତ୍ରୀ ପ୍ରୀତି ରୟ ଚାନ୍ଦ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବାପା ମା’ମାନେ କେବେ ବି ନିଜ ପିଲାକୁ କାହା ସହ ତୁଳନା କରି ନୀଚ ଦେଖାଇବା ଉଚିତ୍‌ ନୁହେଁ। ପିଲାକୁ କେବେ ବି ଏକୁଟିଆ ନଛାଡ଼ି ତା’ ସହ ମିଶନ୍ତୁ ଏବଂ ତାକୁ ଆଦର୍ଶ ମହାପୁରୁଷଙ୍କ କାହାଣୀ ଶୁଣାନ୍ତୁ। ଏହା ତାଙ୍କୁ ସଫଳ ମଣିଷ କରିପାରିବ ବୋଲି ସେ କହିଥିଲେ। ଆପିଜେ ସ୍କୁଲ୍‌ର ଅଧ୍ୟକ୍ଷା ସସ୍ମିତା ତ୍ରିପାଠୀ ପିଲାଙ୍କ ଉନ୍ନତି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ସମ୍ପର୍କରେ କହିଥିଲେ। ପ୍ରାରମ୍ଭରେ ପ୍ଲେ ସ୍କୁଲ୍‌ର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଗପକୁହା, କବିତା ପାଠ, ପେଣ୍ଟିଂ ସହ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଶୁଭୋଜିତ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର