ଓଡ଼ିଶାକୁ ଆସିଲା ‘ଏନି’: ବିନା ଶିକ୍ଷକରେ ବ୍ରେଲି ପ୍ରଶିକ୍ଷଣ

ଉତ୍କଳ ଦୃଷ୍ଟିହୀନ ସଂଘକୁ ୧୦ ଡିଜିଟାଲ ବ୍ରେଲି

ଭୁବନେଶ୍ବର: ଓଡ଼ିଶାକୁ ପ୍ରଥମଥର ପାଇଁ ଆସିଛି ବିଶ୍ବର ପ୍ରଥମ ଡିଜିଟାଲ ବ୍ରେଲି ଲିଟ୍ରେସି ଡିଭାଇସ୍‌ ‘ଏନି’। ଏହା ଜରିଆରେ ଦୃଷ୍ଟିବାଧିତ ବିଦ୍ୟାର୍ଥୀ ଯେକୌଣସି ଭାଷାରେ ଶିକ୍ଷକଙ୍କ ବିନା ସହଯୋଗରେ ନିଜେ ବ୍ରେଲି ଶିଖିପାରିବେ। ସେଲକୋ ଫାଉଣ୍ଡେସନ୍‌ ପକ୍ଷରୁ ୧୦ଟି ଡିଜିଟାଲ ବ୍ରେଲି ଉତ୍କଳ ଦୃଷ୍ଟିହୀନ ସଂଘକୁ ଦିଆଯାଇଛି। ଏହି ଡିଜିଟାଲ ବ୍ରେଲିର ନିର୍ମାତା କମ୍ପାନି ‘ଥିଙ୍କର ବେଲ ଲାବ’ର ଜଣେ ପ୍ରଶିକ୍ଷକ ଭୁବନେଶ୍ବର ଆସି ଶିକ୍ଷକ ଏବଂ ବିଦ୍ୟାର୍ଥୀଙ୍କୁ ଏହାର ପ୍ରଶିକ୍ଷଣ ଦେଇଥିଲେ।
ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ ୫ ଲକ୍ଷ ୨୧ହଜାର ଦୃଷ୍ଟିବାଧିତ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ହଜାର ବିଦ୍ୟାର୍ଥୀ ସରକାରୀ ସ୍କୁଲ ୨ଟି ସମେତ ସମୁଦାୟ ୧୦୩ ସ୍ବତନ୍ତ୍ର ସ୍କୁଲରେ ପାଠ ପଢୁଛନ୍ତି। ଅଧିକାଂଶ ସ୍କୁଲରେ ବିଦ୍ୟାର୍ଥୀ ତୁଳନାରେ ପ୍ରଶିକ୍ଷଣପ୍ରାପ୍ତ ବ୍ରେଲି ଶିକ୍ଷକଙ୍କ ସଂକଟ ରହିଛି।

ଏଥିଯୋଗୁଁ ଅନେକ ବିଦ୍ୟାର୍ଥୀ ବ୍ରେଲି ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି କିମ୍ବା ଏହା ବାଧାପ୍ରାପ୍ତ ହେଉଛି। ବିନା ଶିକ୍ଷକରେ ପିଲା ଯେପରି ବ୍ରେଲି ଶିକ୍ଷା ଗ୍ରହଣ କରିପାରିବେ, ଏଥିପାଇଁ ‘ଏନି’ର ସୃଷ୍ଟି ବୋଲି କହିଛନ୍ତି ଥିଙ୍କର୍‌ ବେଲ ଲାବ୍‌ର ପ୍ରଶିକ୍ଷକ ଶିବମ ଅଗ୍ରଓ୍ବାଲ। ଏହି ଡିଜିଟାଲ ବ୍ରେଲି ଜରିଆରେ ପିଲା ଖେଳ-ଖେଳରେ ବ୍ରେଲି ପଢ଼ିବା, ଲେଖିବା ଏବଂ ଟାଇପିଂ ଶିକ୍ଷା ଗ୍ରହଣ କରିପାରିବେ। ଏଥିପାଇଁ ଡିଭାଇସ୍‌ ‘ଏନି’ ଇଂରାଜୀ ସମେତ ହିନ୍ଦୀ, ଓଡ଼ିଆ ଭଳି ଯେକୌଣସି ଭାଷାରେ ତାଙ୍କୁ ଗାଇଡ୍‌ କରିବ। ଏପରିକି ପିଲା ଭୁଲ୍‌ କଲେ ‘ଏନି’ ତାଙ୍କୁ ବତାଇଦେବ। ଆବଶ୍ୟକସ୍ଥଳେ ତାଙ୍କୁ ହୋମଓ୍ବାର୍କ ମଧ୍ୟ ଦେବ। ଶିକ୍ଷକ ବା ଅଭିଭାବକ ଏକ ଓ୍ବେବ୍‌ସାଇଟ୍‌ ଜରିଆରେ ପିଲାଙ୍କ ପ୍ରଶିକ୍ଷଣ ସମ୍ପର୍କିତ ଅଗ୍ରଗତି ମଧ୍ୟ ଜାଣିପାରିବେ। ୨୦୧୮ ମସିହାରେ ଦେଶରେ ରାଞ୍ଚରେ ପ୍ରଥମେ ଏନିକୁ କାର୍ଯ୍ୟକ୍ଷମ କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୪୦ଟି କେନ୍ଦ୍ରରେ ଏହା କାର୍ଯ୍ୟ କରୁଛି। ଓଡ଼ିଶାର ପ୍ରତ୍ୟେକ ଦୃଷ୍ଟିବାଧିତ ସ୍କୁଲରେ ଏହା କିଭଳି କାର୍ଯ୍ୟ କରିପାରିବ, ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଯୋଜନା ଥିବା କହିଛନ୍ତି ସେଲକୋ ଫାଉଣ୍ଡେସନ୍‌ର ଆଶିଷ। ଫାଉଣ୍ଡେସନ୍‌ ଦେଇଥିବା ୧୦ଡିଜିଟାଲ ବ୍ରେଲି ଲିଟ୍ରେସି ଡିଭାଇସ୍‌ ଉତ୍କଳ ଦୃଷ୍ଟିହୀନ ସଂଘ ପରିଚାଳିତ ଓଏବି ଭାବଗ୍ରାହୀ ମଡେଲ ସ୍କୁଲରେ କାର୍ଯ୍ୟ କରିବ। କେହି ଚାହିଲେ, ରାଜ୍ୟର ଅନ୍ୟ ସ୍କୁଲର ଶିକ୍ଷକ ଏଠିକୁ ଆସି ପ୍ରଶିକ୍ଷଣ ନେଇପାରିବେ ବୋଲି ସଂଘ କହିଛି। ଆଜିର କାର୍ଯ୍ୟକ୍ରମରେ ଦୃଷ୍ଟିହୀନ ସଂଘର ସଭାପତି ସନ୍ନ୍ୟାସୀ ବେହେରା, ସାଧାରଣ ସମ୍ପାଦକ ଶରତ ଦାସ, ଉପସଭାପତି ମହମ୍ମଦ ଜାଫର ଇକବାଲ, କପିଳ ଚରଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର