ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ଓଡ଼ିଶା ଆଗମନର ୧୦୦ ବର୍ଷପୂର୍ତ୍ତି ଅବସରରେ ‘ଜେ.କେ ଫାଉଣ୍ଡେସନ୍ ଫର୍ ଆର୍ଟ ଆଣ୍ଡ କଲଚର୍’ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଜଗଦୀଶ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ଏହି ଅବସରରେ ଲଲିତ କଳା, ବୟନ କଳା ଓ ହସ୍ତକଳାରେ ଅବଦାନ ପାଇଁ ୩ ବୟୋ‌ଜ୍ୟେଷ୍ଠ ଶିଳ୍ପୀ ଦୁର୍ଗାପ୍ରସାଦ ଦାସ, ପଦ୍ମଶ୍ରୀ ଚତୁର୍ଭୁଜ ମେହେର୍ ଓ ଶରତ ଚନ୍ଦ୍ର ମହାନ୍ତିଙ୍କୁ ‘ଗାନ୍ଧୀ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ୬ ବିଶିଷ୍ଟ ଶିଳ୍ପୀଙ୍କୁ କଳାକ୍ଷେତ୍ରରେ ଅବଦାନ ଲାଗି ସମ୍ମାନିତ କରାଯାଇଥିଲା। ବିନୋଦ ମହାରଣାଙ୍କୁ ‘କଳାରତ୍ନ ସମ୍ମାନ’, ସ୍ବର୍ଗତ ଶିବ ପାଣିଗ୍ରାହୀଙ୍କୁ ‘ଶିଳ୍ପୀ ଗୌରବ ସମ୍ମାନ’, ହରେକୃଷ୍ଣ ରାଉତଙ୍କୁ କଳା ‘ସଚେତକ ସମ୍ମାନ’, କବିତା ମହାନ୍ତିକୁ ‘ଉଦ୍ୟୋଗୀ ନାରୀ ଶିଳ୍ପୀ ସମ୍ମାନ’, ପ୍ରତାପ ଜେନାଙ୍କୁ ‘ସୃଜନ ଶିଳ୍ପୀ ସମ୍ମାନ’ ଓ ସୋନିଆଙ୍କୁ ‘ଶିଳ୍ପୀଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଆଦିବାସୀ ଓ ମୂକ, ବଧିର ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଚିତ୍ର ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରଷ୍ଟର ସଚିବ ଶିଶିର କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।