ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ବାର୍ଷିକ କଳା ପ୍ରଦର୍ଶନୀ

ଭୁବନେଶ୍ବର: ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପରିସରରେ ବାର୍ଷିକ କଳା ପ୍ରଦର୍ଶନୀ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ବ୍ୟୋମକେଶ ତ୍ରିପାଠୀଙ୍କର ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସେସବୁର ସମାଧାନ ଦିଗରେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ବିଶ୍ବବିଦ୍ୟାଳୟ ପରିସରରେ ଏକ ‘ଭାସ୍କର୍ଯ୍ୟ ପାର୍କ’ ସ୍ଥାୟୀ ଭାବେ ପ୍ରତିଷ୍ଠା ହେବ ବୋଲି କୁଳପତି ପ୍ରଫେସର୍‌ ତ୍ରିପାଠୀ କହିଥିଲେ।

ଏହି ଅବସରରେ ପ୍ରଦର୍ଶନୀରେ ସ୍ଥାନିତ କଳାକୃତିକୁ ନେଇ ଦୃଶ୍ୟକଳା ବିଭାଗର ଚିତ୍ର ପୁସ୍ତିକା ‘ସୃଷ୍ଟି’ ଲୋକାର୍ପିତ ହୋଇଥିଲା। କର୍ମଶାଳାରେ ଭାଗ ନେଇଥିବା ଯୁବଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କର୍ମଶାଳାରେ କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ, ଚିତ୍ରକଳା ବିଭାଗ ମୁଖ୍ୟ ଚକ୍ରଧର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପକ ଅଞ୍ଜନ କୁମାର ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ଭାସ୍କର୍ଯ୍ୟ କର୍ମଶାଳାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ବିଭାଗର ପ୍ରାଧ୍ୟାପକ ଗୁରୁ ମନୋରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଛାତ୍ରୀମାନେ ନୃତ୍ୟାଭିନୟ ‘ନବଦୁର୍ଗା’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର