ଭୁବନେଶ୍ବର: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ସାରସ୍ବତ ସମାଜ’ର ଏକାଦଶ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ କବି-ଲେଖକ ସମାବେଶ, କବିତା ସଂକଳନ ଉନ୍ମୋଚନ ଓ ସାରସ୍ବତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ କଥାକାର ବୈଷ୍ଣବ ଚରଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ଡକ୍ଟର ଶରତ ଚଲାନ ଓ ମୁଖ୍ୟବକ୍ତା ଭାବେ ସାହିତ୍ୟିକା ପ୍ରତିଭା ମହାରଥୀ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର କବିତା ସଂକଳନ-୨୦୨୨ ଓ ଦେବରାଜ ବିଷୋୟୀଙ୍କ କବିତା ସଂକଳନ ‘ପ୍ରୀତି ପ୍ରୀତିକା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା।

Advertisment

ଉତ୍ସବରେ ୭ ଜଣ ସାରସ୍ବତ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ଷକ ନାୟକଙ୍କୁ କବି ସୌରଭ, ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ବ୍ୟଙ୍ଗ ସମ୍ରାଟ, ଜ୍ଞାନେନ୍ଦ୍ର କୁମାର ପଣ୍ଡାଙ୍କୁ କବି ସାରସ, ଧରିତ୍ରୀ ମହାନ୍ତିଙ୍କୁ କବି କୋଣାର୍କ, ସୁଶାନ୍ତ ଜେନାଙ୍କୁ ଜ୍ଞାନ ଗୌରବ, ରମେଶ ପ୍ରସାଦ ମହାନ୍ତିଙ୍କୁ କବି ଭାରତୀ ଓ ଗୀତାଞ୍ଜଳି ମହାନ୍ତିଙ୍କୁ ଉତ୍କଳ ପଦ୍ମ କବି ରବିନାୟରଣ ରାୟ ସାରସ୍ବତ ସମ୍ମାନରେ ଉପଢ଼ୌକନ ଓ ମାନପତ୍ର ଆଦି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ପ୍ରାରମ୍ଭରେ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ନିଖିଳ କୁମାର ବଳବନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।