ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ବର: ରାଜ୍ୟ ଗୃହ ନିର୍ମାଣ କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଉଷା ଦେବୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସରକାରଙ୍କ ‘ସମସ୍ତଙ୍କ ପାଇଁ ଘର’ ଆଭିମୁଖ୍ୟକୁ ଗୃହ ନିର୍ମାଣ ସଂସ୍ଥା ସାକାର କରୁଛି। ସଂସ୍ଥାର କର୍ମଚାରୀମାନଙ୍କ ଉଦ୍ୟମ ପାଇଁ ଏହା ସଫଳ ହୋଇପାରିଛି। ସମ୍ମାନିତ ଅତିଥି ସଂସ୍ଥାର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ କହିଲେ, ଲୋକମାନଙ୍କୁ ସୁଲଭ ମୂଲ୍ୟ‌ରେ ଘର ଯୋଗାଇବା‌ରେ ଗୃହ ନିର୍ମାଣ ସଂସ୍ଥାର ଏକ ଇତିହାସ ରହିଛି। ଆଗାମୀ ଦିନରେ ୫ହଜାର ଫ୍ଲାଟ୍‌ ନିର୍ମାଣ କରିବା ଲକ୍ଷ୍ୟ ନେଇ ସଂସ୍ଥା କାର୍ଯ୍ୟ କରୁଛି, ତାହା ଆଗାମୀ ଦିନରେ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ସାଗରିକା ପଟ୍ଟନାୟକ ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ସଂଘର ସଭାପତି ମନୋଜ ମହାନ୍ତିଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ଏହି ସଭାରେ ଉପସଭାପତି ବାବାଜୀ ପ୍ରତିହାରୀ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ପ୍ରସନ୍ନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଯୁଗ୍ମ ସମ୍ପାଦକ ମହାଦେବ ପଢ଼ିଆରୀ ଧନ୍ୟବାଦ ଦେଇଥିଲେ। ଶେଷରେ ନାଟ୍ୟ ନିର୍ଦ୍ଦେଶକ ଗଣେଶ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ସ୍ବପ୍ନର ଘର’ ନାଟକ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର