କମିସନରେଟ ପୁଲିସର ବାର୍ଷିକ ଅପରାଧ ରିପୋର୍ଟ : ରେକର୍ଡ ଟପିଲା ଲୁଟ୍‌, ଛିନ୍‌ତାଇ

ରାଜଧାନୀରେ ହତ୍ୟାକାଣ୍ଡ ବଢ଼ିଛି, କଟକରେ କମିଛି
ଚୋରି ମାମଲାରେ ଫେଲ୍ ମାରୁଛି ପୁଲିସ
ମାମଲା ସଂଖ୍ୟା କମିଛି, ଗିରଫଦାରୀ ବଢିଛି

ଭୁବନେଶ୍ବର : ୨୦୨୦ରେ ରାଜଧାନୀ ଭୁବନେଶ୍ବରରେ ଲୁଟ୍, ଛିନ୍‌ତାଇ, ରାହାଜାନି ପୂର୍ବ ବର୍ଷମାନଙ୍କର ସବୁ ରେକର୍ଡକୁ ଟପି ଯାଇଛି। କରୋନା ସଂକ୍ରମଣ ଯେତେବେଳେ କାୟା ବିସ୍ତାର କରିଥିଲା ସେତେବେଳେ କିନ୍ତୁ ଲୁଟେରାଙ୍କ ରାଜ୍ ଜାରି ରହିଥିଲା। ୨୦୨୦ରେ ରାଜଧାନୀରେ ୩୮୮ ଛିନତାଇ ମାମଲା ହୋଇଥିବାବେଳେ ୨୦୧୯ରେ ୨୬୬ଟି ଛିନ୍‌ତାଇ ହୋଇଥିଲା। କେବଳ ଭୁବନେଶ୍ବର ନୁହେଁ; କଟକରେ ମଧ୍ୟ ଛିନ୍‌ତାଇ ମାମଲା ବଢ଼ିଛି। ୨୦୧୯ରେ ୧୧୩ଟି ଲୁଟ୍, ଛିନତାଇ ମାମଲା ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବଢି ୧୩୦ରେ ପହଞ୍ଚିଛି। ଟୁଇନ୍ ସିଟିରେ ୨୦୨୦ରେ ମୋଟ ୫୧୮ଟି ଲୁଟ୍ ମାମଲା ହୋଇଛି। ଯାହା ଏକ ରେକର୍ଡ ବୋଲି ଜଣାପଡିଛି। କମିସନରେଟ ପୁଲିସର ସଦ୍ୟ ପ୍ରକାଶିତ ବାର୍ଷିକ ଅପରାଧ ରେକର୍ଡରୁ ଏହା ଜଣାପଡିଛି।

ସେହିପରି ରାଜଧାନୀରେ ହତ୍ୟାକାଣ୍ଡ ବଢିଥିବା ବେଳେ କଟକରେ କମିଛି। ୨୦୧୯ରେ ରାଜଧାନୀରେ ୩୯ଟି ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୨୦ରେ ୪୯ଟି ହତ୍ୟାକାଣ୍ଡ ଘଟିଛି। ଅନ୍ୟପକ୍ଷରେ କଟକରେ ୨୦୧୯ରେ ୩୦ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ରେ ୨୪ଟି ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଉଭୟ ସହରରେ ସିନ୍ଧିଚୋରି ବଢିଛି। ଭୁବନେଶ୍ବରରେ ୨୦୨୦ରେ ୩୫୦ଟି ସିନ୍ଧିଚୋରି ମାମଲା ହୋଇଥିବା ବେଳେ କଟକରେ ୧୬୮ଟି ହୋଇଛି। ୨୦୧୯ରେ ଏହି ସଂଖ୍ୟା ଯଥାକ୍ରମେ ୩୩୭ ଓ ୧୨୪ ରହିଥିଲା। ଚୋରି, ସିନ୍ଧିଚୋରି, ଲୁଟ୍ ମାମଲାରେ ପୁଲିସକୁ ସେଭଳି ସଫଳତା ମିଳିପାରି ନାହିଁ। ୨୦୨୦ରେ ଭୁବନେଶ୍ବରରେ ୧୮୬୨ଟି ଚୋରି ମାମଲା ହୋଇଥିବା ବେଳେ ମାତ୍ର ୫୯୧ ଜଣଙ୍କୁ ଗିରଫ କରାଯାଇଛି। ଅର୍ଥାତ ପୁଲିସର ସଫଳତାର ହାର ମାତ୍ର ୪୧.୩୬ ପ୍ରତିଶତ। ସେହିପରି କଟକରେ ୫୪୨ଟି ଚୋରି ମାମଲାରେ ପୁଲିସ ୨୬୫ ଜଣଙ୍କୁ ଗିରଫ କରିପାରିଛି। ସଫଳତାର ହାର ମାତ୍ର ୩୯.୭୭। ସିନ୍ଧିଚୋରି ଏବଂ ଲୁଟ୍ ମାମଲାରେ ମଧ୍ୟ କମିସନରେଟ ପୁଲିସ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ସବୁଠୁ ବଡ଼ କଥା ହେଲା କଟକରେ ୨୪ଟି ହତ୍ୟା ମାମଲାରେ ପୁଲିସ ୨୬ ଜଣଙ୍କୁ ଗିରଫ କରିଛି। କିନ୍ତୁ ଶତପ୍ରତିଶତ ମାମଲାରେ ପୁଲିସକୁ ସଫଳତା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର