‘ଫାଶୀ ପୂର୍ବରୁ ପଦେ’ ମଞ୍ଚସ୍ଥ

ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଶାନ୍ତ, ସରଳ, ପରୋପକାର, ଶିକ୍ଷିତ ଗାଉଁଲୀ ଯୁବକ ସନିଆ। ରୋଜଗାର ଆଶା ନେଇ ନିଜ ବୁଢ଼ା ବାପା, ମା’ର ଓଠରେ ହସ ଫୁଟାଇବା ପାଇଁ ସହରକୁ ଧାଇଁ ଆସେ। କିନ୍ତୁ ସହରକୁ ଆସିବା ପରେ ନିଜ ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରିବାରେ ସନିଆ ବିଫଳ ହୁଏ। ସ୍ୱାର୍ଥନେ୍ଵଷୀ ମଣିଷଙ୍କ ଚକ୍ରନ୍ତାର ଶିକାର ହୋଇ ସନିଆ ସାଜେ ଦେଶଦ୍ରୋହୀ, ନକ୍ସଲପନ୍ଥୀ, ଦୁର୍ଦ୍ଦାନ୍ତ ଅପରାଧୀ। ଏପରି କାହାଣୀକୁ ନେଇ ଆଜି ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଫାଶୀ ପୂର୍ବରୁ ପଦେ’। ସନ୍ତୋଷ ମହାନ୍ତିଙ୍କ ରଚନା ଓ କୈଳାସ ମହାପାତ୍ରଙ୍କ ନିର୍ଦେଶନାରେ ସଚିବାଳୟର କର୍ମଚାରୀ ଏଥିରେ ଅଭିନୟ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରଦୀପ ମିଶ୍ର, ଲଳିତ କଳା ଏକାଡେମି ସଚିବ ତାରାକାନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ପରିଷଦର ସମ୍ପାଦକ ପ୍ରଦୀପ ବିଶ୍ୱାଳଙ୍କ ରଚିତ ଦୁଇଟି ନାଟକ ପୁସ୍ତକ ଅକୁହା କଥା ଓ ଅବ୍ୟକ୍ତ ଯନ୍ତ୍ରଣା ଲୋକାର୍ପିତ ହୋଇଥିଲା। ସଭାପତି ଅସିତ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ନାଟ୍ୟ ସମ୍ପାଦକ ହରପ୍ରସାଦ ବିଶ୍ୱାଳ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବରିଷ୍ଠ ସଭ୍ୟ ସୌମେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର