ଓଡ଼ିଶା ରେଡକ୍ରସ୍ ପକ୍ଷରୁ ବାର୍ଷିକ ପୁରସ୍କାର ବିତରଣ, ‘ରେଡକ୍ରସ୍‌ ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଗର୍ବର ବିଷୟ’

ଭୁବନେଶ୍ୱର: ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରାଜଭବନସ୍ଥିତ ଅଭିଷେକ ହଲ୍‌ରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମକୁ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟଶାଖାର ସଭାପତି ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଲେ, ରେଡକ୍ରସ୍‌ ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ। ରେଡକ୍ରସ୍ ନିଜର କାର୍ଯ୍ୟକ୍ରମକୁ କେବଳ ସଙ୍କଟ ଅବସ୍ଥାର ମୁକାବିଲାରେ ସୀମିତ ନରଖି ମନୁଷ୍ୟ ସମାଜର ସମସ୍ତ ଦୁଃଖ ଦୁର୍ଦଶା ସମୟରେ ନିଜକୁ ସାମିଲ କରିପାରିଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ତାଙ୍କ ଅଭିଭାଷଣରେ ଓଡ଼ିଶା ରେଡକ୍ରସ୍‌ର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାରେ ସ୍ୱାଭିମାନର ସାଧାରଣ ସଂପାଦିକା ଡ. ଶୃତି ମହାପାତ୍ର ଉପସ୍ଥିତ ଥିଲେ। ରେଡକ୍ରସ୍‌ ‌ସୋସାଇଟି ପକ୍ଷରୁ ଉଚ୍ଚତର ସାମାଜିକ କାର୍ଯ୍ୟ ପାଇଁ ପ୍ରଥମ କରି ଦେବଦତ୍ତ ମେମୋରିଆଲ ସମ୍ମାନ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ରେଡକ୍ରସ ପାଣ୍ଠି ସଂଗ୍ରହ ପାଇଁ କେନ୍ଦୁଝର, ଯାଜପୁର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଜୀବନବ୍ୟାପୀ ସାଧନା ପାଇଁ ପୂର୍ବତନ ରେଡକ୍ରସ ସଚିବ ସ୍ୱର୍ଗତ ରବିରତ୍ନ ଦାସ, ପ୍ରାକ୍ତନ ମୁଖ୍ୟଶାସନ ସଚିବ ସ୍ୱର୍ଗତ ସୁଧାଂଶୁ ଭୂଷଣ ମିଶ୍ର ଓ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା।ଏତଦ୍ ବ୍ୟତୀତ ୨୫ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସ୍ୱବଲମ୍ବୀ ହେବାପାଇଁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ‘ସହାୟର’ କୃତୀ ଛାତ୍ର ଓ ଯୁବ ରେଡକ୍ରସ୍‌ ଏବଂ କନିଷ୍ଠ ବର୍ଗ ରେଡକ୍ରସ୍‌ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ପରାମର୍ଶଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିପର୍ଯ୍ୟୟ ପରିଚାଳନା ସଂଯୋଜିକା ସୁମିତ୍ରା ତ୍ରିପାଠୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର