‘ସାହିତ୍ୟ ସବୁବେଳେ ଉତ୍ତରଣ ହୁଏ’

‘କୋଠଘର ଆମ ସାହିତ୍ୟ ପରିବାର’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ‘କୋଠଘର ଆମ ସାହିତ୍ୟ ପରିବାର’ର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଉ‌ପଦେଷ୍ଟା ସାହିତ୍ୟିକ ବିପିନ୍ ବିହାରୀ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ସାହିତ୍ୟିକର ଲେଖନୀ ଚାଳନା କଥା କି କବିତାରେ ସୀମିତ ନଥାଏ। ସେ ନିଜର ପରିଭାଷାକୁ ବିଭିନ୍ନ ସାହିତ୍ୟର ବିବିଧ ବିଭାଗ ମାଧ୍ୟମରେ ପାଠକ ନିକଟରେ ପହଞ୍ଚାଇପାରେ। ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, ଏହି ଅନୁଷ୍ଠାନ ଆମ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ହୋଇ ରହିଛି ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ଏହାର ପ୍ରୟାସ ପ୍ରଶଂସନୀୟ।

ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହି‌ଲେ, ଜଣେ ସାହିତ୍ୟିକ ଭାବେ ପରିଚୟ ଲାଭ କରିବା ପାଇଁ କୌଣସି ବୃତ୍ତି କିମ୍ବା ବୟସର ଆବଶ୍ୟକତା ହୁଏ ନାହିଁ। ସୃଜନଶୀଳତା କେବେ ବନ୍ଧନ ଭିତରେ ଆବଦ୍ଧ ହୁଏ ନାହିଁ। ସାହିତ୍ୟ ସୁବୁବେଳେ ଉତ୍ତରଣ ହୁଏ ଓ ଆଗକୁ ଅଗ୍ରସର ହୁଏ। ‌ସମ୍ମାନିତ ଅତିଥି ସାହିତ୍ୟିକା ଇତିରାଣୀ ସାମନ୍ତ କହିଲେ, ଯେଉଁଠି ଦିନେ ନାରୀମାନେ ଘରକୋଣରେ ଆବଦ୍ଧ ହୋଇ ରହୁଥିଲେ, ଆଜି ସେମାନେ ବିନା‌ ଦ୍ବିଧାରେ ବାହାରକୁ ବାହାରି ପାରୁଛନ୍ତି। ସାହିତ୍ୟ କ୍ଷେତ୍ରରେ ନାରୀମାନଙ୍କ ପ୍ରବେଶ ମଧ୍ୟ ବୃଦ୍ଧି ପାଇଛି। ଅନ୍ୟତମ ଅତିଥି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ହରିହର କାନୁନ୍‌ଗୋ ମଞ୍ଚାସୀନ ଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁଷମା ମିଶ୍ର ଅଧ୍ୟକ୍ଷତା କରିଥିଲେ।

ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ ଦେଇଥିବା ବେଳେ ପ୍ରତିଷ୍ଠାତା ତଥା ସମ୍ପାଦିକା ଅମ୍ବିକା ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ। ଗାଳ୍ପିକ ଆଶୁତୋଷ ମେହେର ଧନ୍ୟବାଦ ଦେଇଥିଲେ। ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଓ ଅଞ୍ଜଳି ତ୍ରିପାଠୀଙ୍କ ଭକ୍ତି କବିତା ପୁସ୍ତକ ‘ଛପନ ଭୋଗ’, ଶ୍ୱେତପଦ୍ମା ପାଢ଼ୀଙ୍କର ଗଳ୍ପ ପୁସ୍ତକ ‘ଆଉ ତା’ ପରେ’ ଉନ୍ମୋଚିତ ହୋଇଥିଲା। କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଓ ପ୍ରାକ୍ତନ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କୁ ‘ଶୈଳଭାମା ବିମ୍ବାଧର ସ୍ମାରକୀ ସମ୍ମାନ’ ପ୍ରଦାନ କରାଯାଇଥିଲା।
ପ୍ରଥମ ଅଧିବେଶନରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ସାହୁଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶହେରୁ ଅଧିକ କବି ଯୋଗଦେଇ କବିତା ପାଠ କରିଥିଲେ। କବି ପୂର୍ଣ୍ଣାନନ୍ଦ ମହାନ୍ତି, ପ୍ରୀତିରଞ୍ଜନ ନାୟକ, ହିମାଦ୍ରୀ ତନୟା ମିଶ୍ର ଏହାକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର