ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ : ଛାତ୍ରଛାତ୍ରୀଙ୍କ କାନ୍ଧରେ ଦେଶର ସାର୍ବଭୌମତ୍ବ

ଚନ୍ଦ୍ରଶେଖରପୁର : ଛାତ୍ରଛାତ୍ରୀଙ୍କ କାନ୍ଧରେ ଦେଶର ସାର୍ବଭୌମତ୍ବ ଓ ସ୍ବାଭିମାନ। ତାହାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ଅଭିଭାବକମାନେ ପିଲାଙ୍କ ଶିକ୍ଷାକୁ ଗୁରୁତ୍ବ ଦେବା ଆବଶ୍ୟକ। ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ମୁଦାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନାରା ବେଗମ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପିଲାଙ୍କୁ ଶୃଙ୍ଖଳିତ କରି ଗଢ଼ି ତୋଳିବାରେ ଶିକ୍ଷକ ଓ ଅଭିଭାବକଙ୍କ ପ୍ରମୁଖ ଭୂମିକା‌ ରହିଛି। ଅଭିଭାବକମାନେ ପିଲାଙ୍କ ମନ ବୁଝି ସେମାନଙ୍କୁ ଆଗକୁ ବଢ଼ିବା ଲାଗି ସୁଯୋଗ ଦିଅନ୍ତୁ। ଛାତ୍ରଛାତ୍ରୀ ମଧ୍ୟ ପାଠପଢ଼ା ସହ ଅନେକ କିଛି ଶିଖିବାର ଆବଶ୍ୟକତା ରହିଛି। ଅନ୍ୟ ଆଖିରୁ ଲୁହ ପୋଛି ହସ ଖେଳାଇବା ଛାତ୍ରଛାତ୍ରୀଙ୍କ ପ୍ରମୁଖ ଲକ୍ଷ୍ୟ ହେଉ। ସଂସ୍କୃତି ସୁରକ୍ଷା ସମିତିର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପରମ୍ପାରର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କେଦାରନାଥ ସେଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ‌ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅନ୍ୟତମ ବରିଷ୍ଠ ଗୁରୁଜୀ ନନ୍ଦ କିଶୋର ସାହୁ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବରେ ମହାକାଳପଡ଼ାର ଦୁଇ ସାହାସୀ ବାଳିକା ପୂର୍ଣ୍ଣିମା ଓ ସବିତାଙ୍କୁ ସମ୍ମାନିତ କରାଯିବା ସହ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ପୁରୁଣା ଭୁବନେଶ୍ୱର : ପଳାସପଲ୍ଲୀସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବୈଷୟିକ ଶିକ୍ଷାର ପୂର୍ବତନ ନିର୍ଦେଶକ ଡ. ରୋସନାରା ବେଗମ ଯୋଗ ଦେଇଥିଲେ। ସ୍କୁଲ ପରିଚାଳନା କମିଟିର ସଭାପତି ଅଧ୍ୟାପକ ବିଶ୍ବରଞ୍ଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦେଶକ ଉପେନ୍ଦ୍ର ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ବନ୍ଦିତା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ମହାପାତ୍ର, ବ୍ରହ୍ମାନନ୍ଦ ପାଢ଼ୀ, ସୁଧାଂଶୁ ଷଡ଼ଙ୍ଗୀ, ବିନୋଦିନୀ ପରିଡ଼ା ଓ ଶିକ୍ଷକ, ଶିକ୍ଷୟତ୍ରୀ ଏହାକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଜ୍ଞାନ, କଳା, ହସ୍ତକର୍ମ, ଓ ଶ୍ରୀମାଙ୍କ ଫଟୋ ପଦର୍ଶନ କରାଯାଇଥିଲା। ଶେଷରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର