‘ଭାଷା, ସାହିତ୍ୟର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ’

ଭୁବନେଶ୍ୱର : ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ। ସଂପ୍ରତି ଡିଜିଟାଲ୍‌ ଯୁଗରେ ଓଡ଼ିଆ ଭାଷା ଯେପରି ତାର ମୌଳିକତା ନ ହରାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ହେବ। ‘ସମାରୋହ’ର ବର୍ଷିକ ଉତ୍ସବ ଓ ଦୁର୍ଗାମାଧବ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ସଂଘଠାରେ ବରିଷ୍ଠ କବୟିତ୍ରୀ ମନୋରମା ବିଶ୍ୱାଳ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ ଓଡ଼ିଆ ସାହିତ୍ୟକୁ କିପରି ସମୃଦ୍ଧ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଡି.ଜି ଶ୍ୟାମନାରାୟଣ ତିଓ୍ଵାରୀ ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ. ସିଦ୍ଧାର୍ଥ ପାଢ଼ୀ ପ୍ରମୁଖ ଯୋଗଦେଇ ଦୁର୍ଗାମାଧବଙ୍କ ଜୀବନୀ, ସେ ଲେଖିଥିବା କବିତା ଓ ଓଡ଼ିଆ ସାହିତ୍ୟରେ ‘ସମାରୋହ’ର ଭୂମିକା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କବି ପ୍ରବୀର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ, ସହଯୋଗୀ ସଂପାଦକ ରବିନାରାୟଣ ନନ୍ଦ ସଂପାଦକୀୟ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ଡ. ଉପେନ୍ଦ୍ର ନାୟକଙ୍କ ‘ଅମୃତାଞ୍ଜଳି’ଓ ‘ସମାରୋହ’ର ବିଶେଷ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଲୋକର୍ପିତ ହୋଇଥିଲା। ସଭାରେ ଚଳିତ ବର୍ଷର ‘ସମାରୋହ’ ସମ୍ମାନ ଶ୍ରୀମତୀ ବିଶ୍ୱାଳ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଡ. କମଳାକୃଷ୍ଣ ତ୍ରିପାଠୀଙ୍କୁ ଦୁର୍ଗାମାଧବ ସ୍ମାରକୀ ଗଳ୍ପ ଓ କବିତା ପୁରସ୍କାର, ଜୀବନକୃଷ୍ଣ ମହାପାତ୍ରଙ୍କୁ ଫକୀରମୋହନ ନନ୍ଦ ସ୍ମାରକୀ ପ୍ରବନ୍ଧ ପୁରସ୍କାର ଓ କୀର୍ତ୍ତିକାନ୍ତ ପଣ୍ଡାଙ୍କୁ ରମ୍ୟରଚନା ପୁରସ୍କାର ପ୍ରଦାନ କରାଯାଇଥିଲା। କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର