ଷ୍ଟିୱାର୍ଟ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ବର : ସିଆର୍‌ପିସ୍ଥିତ ଷ୍ଟିୱାର୍ଟ ସ୍କୁଲର ୫୮ତମ ବାର୍ଷିକ ଉତ୍ସବ  ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମିରେଖା ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଭବନର ପ୍ରତିଷ୍ଠାତା ସମ୍ପାଦକ ମଳୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହ ସମାଜର ଗଠନମୂଳକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ  ଅଭିନେତା ରାକେଶ ଦେଓ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଉତ୍ସାହିତ କରିଥିଲେ। ସକାଳେ ସ୍କୁଲ୍‌ର ନର୍ସରିରୁ କ୍ଲାସ ୪ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ‘ସାଂସ୍କୃତିକ ଉତ୍ସବ-୨୦୧୮’ ଓ  ସନ୍ଧ୍ୟାରେ ପଞ୍ଚମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଗାଡ଼କଣ ସରସ୍ବତୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ

ଚନ୍ଦ୍ରଶେଖରପୁର : ଗାଡ଼କଣସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର, ଆଦିମାତା କଲୋନିର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସମ୍ପାଦକ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସରକାରୀ ଶରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ‌ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପବିତ୍ର ମୋହନ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଦୀପ୍ତିମୟୀ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ଶିକ୍ଷକ ମନୋଜ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ନୀଳାଦ୍ରିବିହାର ସଙ୍କୁଳ ପ୍ରମୁଖ ବାଞ୍ଛାନିଧି ସାହୁ ମୁଖ୍ୟଅତିଥି, ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ନନ୍ଦକିଶୋର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅପରାହ୍ଣରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର