ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ବାର୍ଷିକୋତ୍ସବ : ସାହିତ୍ୟିକମାନେ ପରିବର୍ତନର ବାର୍ତାବହ ହୁଅନ୍ତୁ

କେଏମ୍‌ବିବି ଜୁନିୟର କଲେଜ୍‌କୁ ‘ଶ୍ରେଷ୍ଠ ଆବାସିକ ମହାବିଦ୍ୟାଳୟ ସମ୍ମାନ’

ଭୁବନେଶ୍ବର : ସାହିତ୍ୟିକମାନେ ସମାଜକୁ ନୂଆ ଦିଗଦର୍ଶନ ସହ ପରିବର୍ତନର ବାର୍ତାବହ ହୁଅନ୍ତୁ। ଅନ୍ୟାୟ, ଅନୀତି ବିରୋଧରେ ନିର୍ଭୀକ ସ୍ବର ଉତ୍ତୋଳନ କରନ୍ତୁ। ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ୧୯ତମ ବାର୍ଷିକ ଉତ୍ସବରେ ଅତିଥିମାନେ ଏହି ଆହ୍ବାନ ଦେଇଛନ୍ତି। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍‌ଘାଟକ ଭାବେ ଯୋଗଦେଇ ସାହିତ୍ୟ ପ୍ରେରଣା ଦିଏ ବୋଲି କହିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହୀନମନ୍ୟତାଠାରୁ ଦୂରରେ ରହି ସର୍ବଭାରତୀୟ ସ୍ତରରେ ନିଜକୁ ପ୍ରମାଣିତ କର ‌ବୋଲି ଲେଖକମାନଙ୍କୁ କହିଥିଲେ।

ମହାସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଜେପିର ବରିଷ୍ଠ ନେତା ବାବୁ ସିଂହ, ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ କବି ନିରାକାର ଦାସ, କବି କିରଣବାଳା ରଥ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମହାସଂଘର ଉପସଭାପତି ଡ. ବୈରାଗୀ ପଟ୍ଟନାୟକ ସ୍ବାଗତ ଭାଷଣ ଓ ସମ୍ପାଦକ କଣ୍ଡୁରୀ ଚରଣ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ କେଏମ୍‌ବିବି ଜୁନିୟର କଲେଜ୍‌କୁ ‘ଶ୍ରେଷ୍ଠ ଆବାସିକ ମହାବିଦ୍ୟାଳୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ପରଂବ୍ରହ୍ମ ତ୍ରିପାଠୀ, ଅଭିନ୍ନ ଚନ୍ଦ୍ର ସାହୁ, ବାସୁଦେବ ହୋତା, ଗଣେଶ ବାରିକ, ଇଂ ବସନ୍ତ କୁମାର ଦାନୀ, ଦିପ୍ତୀପ୍ରଭା ରଥ, ଫକୀର ବାଡ଼ା, ପ୍ରଫେସର ବିଜୁନି ଚରଣ ସୂତାର, ରାଜକିଶୋର ମହାପାତ୍ର, ନରେନ୍ଦ୍ର ବାରିକ, କୃଷ୍ଣଚନ୍ଦ୍ର ଝପଟସିଂହ, ଶିବଶଙ୍କର ଜେନା, ଅର୍ପିତା ନନ୍ଦ, ସାମ୍ବାଦିକ ସମ୍ବିତ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ମହାସଂଘର ସ୍ମରଣିକା ସହ ସୂର୍ଯ୍ୟ ମହାନ୍ତିଙ୍କ ଲିଖିତ ‘କିଛି ସ୍ମୃତି, କିଛି ଅନୁଭବ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ପରଂବ୍ରହ୍ମ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା ପାଠୋତ୍ସବକୁ ଗୋଲକ ବିହାରୀ ନାୟକ, କବି ସୂର୍ଯ୍ୟ ମହାନ୍ତି ଓ ଅଧ୍ୟାପିକା ସୌଦାମିନୀ ବେହେରା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର