ଭୁବନେଶ୍ବର: କୌତୂହଳ ଓ କଳ୍ପନା ବିନା ସୃଜନଶୀଳତା ଅଚିନ୍ତନୀୟ। କିନ୍ତୁ ଦୁଃଖର କଥା ହେଲା, ଏ ଦୁଇଟି ଜିନିଷ ଆମ ଭିତରୁ ମରି ମରି ଯାଉଛି। କୌତୂହଳ ଶିକ୍ଷା ଦୀପର ସଳିତା। କିନ୍ତୁ ଆଜିର ଡିଜିଟାଲ୍ ଯୁଗ ଆମକୁ ଏତେ କବଳିତ କରିଛି ଯେ ଆମେ ଆକାଶ, ମାଟି, ପାଣି, ଗଛ କି ଫୁଲ ଆଦି ଦେଖି କିଛି କଳ୍ପନା କରିପାରୁନୁ। ଆଜି ଆମେ ଅନନ୍ୟତା, ଭିନ୍ନତା ଓ ବିଭିନ୍ନତାକୁ ପଛରେ ଛାଡ଼ି ଦେଇ ମାନକୀକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛୁ। ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ତପସ୍ୟା ଫାଉଣ୍ଡେସନ୍ର ବାର୍ଷିକ ସାରସ୍ବତ ସମାରୋହରେ ଯୋଗଦେଇ ବିଶିଷ୍ଟ କଥାକାର ଗୌରହରି ଦାସ ଏହା କହିଛନ୍ତି। ‘ଜିଜ୍ଞାସା ଓ ସୃଜନଶୀଳତାର ମୃତ୍ୟୁ’ ଶୀର୍ଷକ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ଶ୍ରୀ ଦାସ ଆହୁରି କହିଥିଲେ ଯେ ଆଜିର ଦୁନିଆରେ ନୂଆ ବିଚାର ପାଇଁ ପୃଷ୍ଠପୋଷକତା ତ’ ଦୂରର କଥା, ସମର୍ଥନ ବି ନାହିଁ। କିଛି ଅଲଗା ଚିନ୍ତା କଲେ ସେମାନଙ୍କୁ କମ୍ୟୁନିଷ୍ଟର ଆଖ୍ୟା ଦିଆଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫାଉଣ୍ଡେସନ୍ର ଅଧ୍ୟକ୍ଷ ତପନ କୁମାରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଅନ୍ୟତମ ଭାରତ’ ଶୀର୍ଷକ ‘ତୃତୀୟ ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତୃତା’ ପ୍ରଦାନ କରି ବିଶିଷ୍ଟ ସାମ୍ବାଦିକ ଆକାର ପଟେଲ ଭାରତର ସମ୍ବିଧାନ ଉପରେ ଆଲୋକପାତ କରିଥିଲେ। ଦେଶରେ ନାଗରିକର ସ୍ବାଧୀନତାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସାମ୍ବିଧାନିକ ଅଧିକାର ବାଦ୍ ନ୍ୟାୟପାଳିକା ରହିଛି। ବିକ୍ଷୋଭ ଓ ଧାରଣା ଦ୍ବାରା ବି ବ୍ୟକ୍ତି ବା ବ୍ୟକ୍ତିସମୂହ ନିଜର ଦାବି ସାବ୍ୟସ୍ତ କରିପାରିବେ। କିନ୍ତୁ ସବୁବେଳେ ବିକ୍ଷୋଭ କିମ୍ବା ଧାରଣାରେ ବସିବା ଦ୍ବାରା ବ୍ୟକ୍ତିଗତ କ୍ଷତି ସହ ସାମଗ୍ରିକ କ୍ଷତି ହୋଇଥାଏ ବୋଲି ଶ୍ରୀ ପଟେଲ କହିଥିଲେ।
ବିଶିଷ୍ଟ ଶିକ୍ଷାବିତ୍ ଅପୂର୍ବାନନ୍ଦଜୀ ଯୋଗ ଦେଇ ‘ସାମ୍ବିଧାନିକ ଲୋକତନ୍ତ୍ରରେ ବିରୋଧର ଭାବନା’ ଶୀର୍ଷକ ‘ଦ୍ବିତୀୟ ହେମଲତା ମିଶ୍ର ସ୍ମାରକୀ ବକ୍ତୃତା’ ପ୍ରଦାନ କରିଥିଲେ। ସେ କହିଥିଲେ, ଦେଶର ବିବେକ ରକ୍ଷା ନାଗରିକ ହିଁ କରିପାରିବ। ଏବେ କିନ୍ତୁ ଦେଶ ତଥା ରାଜ୍ୟର ସରକାର ହୁଅନ୍ତୁ ବା ସାଧାରଣ ଜନତା, ହିଂସାର ପ୍ରଚାର ଅଧିକ କରୁଛନ୍ତି। ବିରୋଧୀର ଛବି ମଳିନ କରିବାକୁ ତାଙ୍କୁ ହିଂସକ ଭାବେ ଚିତ୍ରିତ କରାଯାଉଛି। ଗତ କିଛି ବର୍ଷ ଭିତରେ ‘ହିଂସା’ ହିଁ ଗୁଗୁଲରେ ସବୁଠୁ ଅଧିକ ଖୋଜାଯାଇଥିବା ଶବ୍ଦ ପାଲଟିଲାଣି। ତେବେ ସରକାର ବୁଝିବା ଦରକାର କୌଣସି ନାଗରିକ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧ କରେ ନାହିଁ। ସେ ବିରୋଧ ଦ୍ବାରା ସରକାରଙ୍କୁ ଅବିବେକିତା ଛାଡ଼ିବାକୁ କୁହନ୍ତି। ବିରୋଧକୁ ହିଂସା ଭାବେ ଚିତ୍ରିତ ନ କରି ଗଣସ୍ବାର୍ଥରେ କାମ କରାଯିବା ଉଚିତ ବୋଲି ସେ କହିଥିଲେ।
ଏହି ଅବସରରେ ଦିବଂଗତ ପ୍ରଖ୍ୟାତ ସମାଲୋଚକ ପ୍ରଫେସର୍ ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ‘ତପସ୍ୟା ଶାଶ୍ବତ ପୁରସ୍କାର-୨୦୨୦’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ପ୍ରଫେସର କରଙ୍କ ପରିବାରକୁ ୫୦ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଥିସହ ସାହିତ୍ୟିକ ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୦’ରେ ସମ୍ମାନିତ କରାଯାଇଛି। ଡ. ପାତ୍ରଙ୍କୁ ପୁରସ୍କାର ବାବଦକୁ ୩୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ତରୁଣ କବୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୦’ ବାବଦକୁ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଭୌମିକ ମହାନ୍ତିଙ୍କ ପ୍ରଥମ ପୁସ୍ତକ ‘ଆଇ ଡିଡ୍, ଡିଡ୍ ଆଇ’, ଦିଲେଶ୍ବର ରଣାଙ୍କ ଗଳ୍ପ ସଂକଳନ ‘ସେଁର୍ରା’, ସୁରେଖା ମହାପାତ୍ରଙ୍କ କବିତା ସଂକଳନ ‘ଜୀବନ, ରଙ୍ଗରୁ ରାଗ ଯାଏ’ ଓ ପ୍ରଶାନ୍ତ ପଟ୍ଟନାୟକଙ୍କ ଉପନ୍ୟାସ ‘ଅସତୀ’ର ଇଂରାଜୀ ଅନୁବାଦ ‘ଦ ଇନ୍ଫିଡେଲ୍’ ଉନ୍ମୋଚିତ ହୋଇଛି। ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ଜୁଲି ମିଶ୍ର ଓ ଟ୍ରଷ୍ଟି ହିରଣ୍ମୟୀ ମିଶ୍ର, ଶତ୍ରୁଜିତ, ମନୋଜ ପୃଷ୍ଟି, ମନୋଜ ଭୋଇ, କମଳାକାନ୍ତ ମହାନ୍ତି, ପ୍ରକାଶ ପଣ୍ଡା, ସୁବ୍ରତ ପତି ଓ ପାର୍ଥ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।