ଶେଷ ହେଲା ମାଟି ଓ ଟେରାକୋଟା ଶିଳ୍ପ ମେଳା ‘ମୃତ୍ତିକା’

୭ ଦିନରେ ବେପାର କୋଟିଏ ଟପିଲା

ଭୁବନେଶ୍ୱର : ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ମାଟି ଓ ଟେରାକୋଟା ଶିଳ୍ପ ପ୍ରଦର୍ଶନୀ ‘ମୃତ୍ତିକା’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦୀପାବଳି ଉପଲକ୍ଷେ ଦୀପର ସମ୍ଭାର ସହ ଆଖିଝଲସା ଘରକରଣା ଓ ଘରସଜ୍ଜା ସାମଗ୍ରୀର ବିରାଟ ପସରା ଲୋକଙ୍କୁ ବେଶ୍‌ ଆକର୍ଷିତ କରିପାରିଥିଲା। କେନ୍ଦୁଝର, ରାୟଗଡ଼ା, ଖୋର୍ଧା, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ସୁବର୍ଣ୍ଣପୁର, ନୟାଗଡ଼, ସମ୍ବଲପୁର, ବଲାଙ୍ଗୀର, କଟକ, ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ନବରଙ୍ଗପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟ ଆଦି ଜିଲ୍ଲାରୁ ପ୍ରାୟ ୧୫୭ରୁ ଊର୍ଧ୍ୱ ମାଟି ଓ ଟେରାକୋଟା କାରିଗର ଏଠାରେ ପସରା ମେଲାଇଥିଲେ।

ତେବେ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ବର୍ଷକୁ ବର୍ଷ ଅଧିକ ଲୋକପ୍ରିୟତା ଅର୍ଜନ କରିବା ସହ ବିକଶିତ ହେବାରେ ଲାଗିଛି। ଗତ ବର୍ଷ ପ୍ରଦର୍ଶନୀ ପରିସରରେ ୬୫ଟି ଷ୍ଟଲ୍‌ ଖୋଲିଥିବା ବେଳେ ଚଳିତ ବର୍ଷ ୮୦ଟି ଷ୍ଟଲ୍‌ ପଡ଼ିଥିଲା। ସେହିପରି ଗତବର୍ଷ ପ୍ରାୟ ୯୭ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ଚଳିତ ବର୍ଷ ଏହା ୧ କୋଟି ୧୦ ଲକ୍ଷ ଟଙ୍କାକୁ ଛୁଇଁଛି ବୋଲି ପ୍ରଦର୍ଶନୀର ନିର୍ଦ୍ଦେଶକ ଶୀତିକାନ୍ତ ଷଡ଼ଙ୍ଗୀ କହିଛନ୍ତି।

ତେବେ ପ୍ରତିବର୍ଷ ଭଳି ଘରସଜ୍ଜା ସାମଗ୍ରୀ ଅଧିକ ବିକ୍ରି ହୋଇଥିବା ପ୍ରଦର୍ଶନୀର ଇଣ୍ଡଷ୍ଟ୍ରି ପ୍ରମୋସନ୍‌ ଅଫିସର ଗୌରୀଶଙ୍କର ଜେନା କହିଛନ୍ତି। ଦୀପ ସହ ଫ୍ଲାଓ୍ଵାର୍‌ ବେସ୍‌, ଫାଉଣ୍ଟେନ୍‌ ଓ କୌତୁକିଆ ପ୍ରତିମୂର୍ତି ସବୁ ଅଧିକ ଚାହିଦାରେ ଥିଲା।

ସମ୍ବନ୍ଧିତ ଖବର