୧୦ଦିନରେ ଆଉ ୩ ହଜାର ଶଯ୍ୟା ବଢ଼ିବ, ୭ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୪୧

ଭୁବନେଶ୍ବର : ରାଜଧାନୀରେ କରୋନା କିପରି ମାଡ଼ୁଛି ତାହା ୭ଦିନର ପରିସଂଖ୍ୟାନ ଦର୍ଶାଉଛି। ରାଜଧାନୀରେ ଏବେ ୬୪୯୩ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଏଥିରୁ ୫୨୪୧ଜଣ ଗତ ୭ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି। ଏଥିରେ ଆଜି ୧୦୪୪ଜଣ ଚିହ୍ନଟ ହୋଇଥିବାବେଳେ ୨୭ ତାରିଖରେ ୭୭୩ଜଣ, ୨୬ରେ ୭୦୮, ୨୫ରେ ୬୮୩, ୨୪ରେ ୭୪୫, ୨୩ରେ ୬୯୮, ୨୨ ତାରିଖରେ ୫୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୦୪୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ଏପରିକି ଗତକାଲି ଠାରୁ ଆଜି ଅଧିକ ୨୭୧ଜଣ ଚିହ୍ନଟ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ବି ବାଉଳାଚାଉଳା ହେଲେଣି। ସ୍ଥିତି ଏବେଠୁ ନିୟନ୍ତ୍ରଣକୁ ନ ଆସିଲେ ସଙ୍ଗିନ୍ ହୋଇପାରେ ଏହା ଜାଣିସାରିଲେଣି। ତେଣୁ ଏହାର ମୁକାବିଲା ପାଇଁ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ଯୋଜନା ହୋଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ରାଜଧାନୀରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଏବେ ପ୍ରାୟ ୩ହଜାର ଶଯ୍ୟା ଥିବାବେଳେ ଏଥିରୁ ଅଧା ଖାଲି ଅଛି। କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆମେ ଆସନ୍ତା ୧୦ଦିନରେ ଆଉ ଅତିରିକ୍ତ ୩ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛୁ। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ପାଇଁ ପେଯରି ଶଯ୍ୟା ଅଭାବ ରହିବନି କି ଅକ୍ସିଜେନ୍‌ର ଅଭାବ ‌ରହିବନି ସେଦିଗରେ ଆମେ ପଦକ୍ଷେପ ନେଉଛୁ। ଏବେ ୮୫%ରୁ ଅଧିକ ଲୋକ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବାରୁ ସେମାନଙ୍କୁ ଆବଶ୍ୟକ ଔଷଧ ଓ ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯାଉଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଆମେ ଖରାପ ସମୟ ପାଇଁ ପ୍ରସ୍ତୁତ ଅଛୁ। ଲୋକ ଭୟଭୀତ ନହୋଇ କୋଭିଡ୍‌ କଟକଣା ମାନିଲେ ସ୍ଥିତି ସୁଧୁରିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।

ସମ୍ବନ୍ଧିତ ଖବର