ଭୁବନେଶ୍ବର: ହାତରେ ସମୟ କମ୍। ରୁକୁଣା ରଥ ଯାତ୍ରାକୁ ଆଉ ମାତ୍ର ୧୨ ଦିନ ବାକି ରହିଛି। ତେଣୁ ବେଳ ଉଛୁର ନକରି ମହାରଣା ସେବାୟତ ହାତରେ ବଟାଳି, ହାତୁଡ଼ି, ନିହଣ, ବାରିଶ, ମାପକାଠି ଓ କରତ ଧରି ଗଢ଼ି ଚାଲିଛନ୍ତି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ମହାରଣାଙ୍କ କୋଳାହଳ ଭିତରେ ମନ୍ଦିର ଉତ୍ତର-ପୂର୍ବ କୋଣରେ ଥିବା ରଥ ଖଳା ସକାଳୁ ରାତି ଯାଏ ଚଳଚଞ୍ଚଳ ହୋଇ ଉଠିଛି। ସପ୍ତାହେ ହେବ ୬୦ ରୁ ଊର୍ଦ୍ଧ୍ବ ମହାରଣା ସେବାୟତ ଅକ୍ଳାନ୍ତ ପରିଶ୍ରମ କରି ଗଢ଼ିଛନ୍ତି ରଥର ୪ଟି ଚକ। ଆଜି ଦୁଇଟି ଚକ ସମ୍ପୂ୍ର୍ଣ ହୋଇଥିବା ବେଳେ ଆଉ ଦୁଇଦିନ ମଧ୍ୟରେ ଅନ୍ୟ ଦୁଇଟି ଚକ ଶେଷ ହେବ। ଏହାରି ଭିତରେ ଆଜି ରଥ ଖଳାରେ ପହଞ୍ଚିଛି ୨୩ ଫୁଟ ଲମ୍ବର ଦୁଇଟି ‘ଅଖ’ କାଠ। ଆସନ୍ତାକାଲିଠାରୁ ଚାରୋଟି ଚକ ପାଇଁ ଆସିଥିବା ଏହି କାଠରେ ‘ଅଖ’ ତିଆରି କରାଯିବ। ଆଉ ୫ ଦିନ ମଧ୍ୟରେ ରଥ ଚକ ଡେରା ହେବ ବୋଲି ମହାରଣା ସେବାୟତମାନେ କହିଛନ୍ତି।
ଏ ଆନନ୍ଦ ଅବର୍ଣ୍ଣନୀୟ
ଭୁବନେଶ୍ବର: ୧୨ ବର୍ଷ ହେବ ପ୍ରଭୁ ଲିଙ୍ଗରାଜଙ୍କ ସେବାରେ ନିଜକୁ ସମର୍ପିତ କରିଛି। ରଥ ଗଢ଼ିବା ବେଳର ସବୁ ସମୟ ମୋ ପାଇଁ ଗୋଟେ ଗୋଟେ ଦିବ୍ୟ ଅନୁଭୂତି। ରୁକୁଣା ରଥର ଚାରି ଦ୍ବାରର କଳାକୃତି ସହ ରଥ ଉପରେ ଝାଲେରୀ କାମ ମୋ ଦାୟିତ୍ବ। ବର୍ଷସାରା ମୁଁ ଚାହି ରହିଥାଏ, କେବେ ରଥ ନିର୍ମାଣ ହେବ। ପ୍ରଭୁ ଲିଙ୍ଗରାଜଙ୍କ କୃପା ନରହିଲେ ରଥ କାମ କରିହେବ ନାହିଁ। ପ୍ରଭୁଙ୍କ ଆଜ୍ଞାରେ ତାଙ୍କ କାମ କରିବାର ଆନନ୍ଦ ସତରେ ଅବର୍ଣ୍ଣନୀୟ। ଯେତେ ଦିନ ବଞ୍ଚିଥିବି ଏମିତି ପ୍ରଭୁଙ୍କ ସେବାରେ ଲାଗି ପାରିଲେ ଏ ଜୀବନ ସାର୍ଥକ ହେବ।
-କେଦାରନାଥ ମହାରଣା,
ମହାରଣା ସେବାୟତ