ଭୁବନେଶ୍ବର : ହକି ବିଶ୍ବକପ୍ ପାଇଁ ରାଜଧାନୀରେ ଆଉ ୨୫ଟି ନୂଆ ‘ଇ-ବସ୍’ ଚଳାଚଳ କରିବ। ଗୁରୁବାରଠାରୁ ୧୫ଟି ଇ-ବସ୍ ନିର୍ଦ୍ଧାରିତ ରୁଟ୍ରେ ଗଡ଼ିଥିବା ବେଳେ ଖୁବ୍ ଶୀଘ୍ର ଆଉ ୧୦ଟି ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଓ ଡଟ୍ ଫେଷ୍ଟ ସମେତ ୩ଟି ରୁଟ୍ରେ ଏହି ସେବା ମିଳିବ। ସେହିଭଳି ମୋ’ ଇ-ରାଇଡ୍ ସେବାର ମଧ୍ୟ ପୂର୍ଣ୍ଣ ଉପଯୋଗ କରାଯିବ। ‘ହେରିଟେଜ୍ ଅନ୍ ମୋ ଇ-ରାଇଡ୍’ ଯୋଜନାରେ ବିଭିନ୍ନ ପ୍ରସିଦ୍ଧ ଐତିହ୍ୟସ୍ଥଳକୁ ଏହି ଇ-ଅଟୋରେ ମାଗଣା ଯାତ୍ରାର ସୁଯୋଗ ମିଳିବ। ସ୍ଥାନୀୟ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କ୍ରୁଟ୍ ଏଭଳି ଏକ ପଦକ୍ଷେପ ନେଇଥିବା କହିଛି। ଦୈନିକ ଦୁଇ ଦଫାରେ, ସକାଳ ୭ ରୁ ୯ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ ପର୍ଯ୍ୟଟକ ଏହାର ସୁଯୋଗ ନେଇପାରିବେ। କିଏ କେଉଁ ଐତିହ୍ୟସ୍ଥଳକୁ ଯିବାକୁ ଚାହୁଛନ୍ତି, ସେ ବାବଦ ସମ୍ପୂର୍ଣ୍ଣ ବିବରଣୀ କ୍ରୁଟ୍ର ଟ୍ବିଟର୍ ହାଣ୍ଡେଲ୍ରେ ଉପଲବ୍ଧ ଥିବା କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ହକି ମ୍ୟାଚ୍ ଦିନ ଟିକେଟ୍ କରିଥିବା ଦର୍ଶକଙ୍କୁ ମାଗଣାରେ ମୋ’ ବସ୍ରେ ଯାତ୍ରା କରିବାକୁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ଉକ୍ତ ନିୟମ ଏହି ବସ୍ଗୁଡ଼ିକରେ ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି। ତେଣୁ ରାଜଧାନୀବାସୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ନେବାକୁ କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ହକି ବିଶ୍ବକପ୍ ପାଇଁ ପୂରା ରାଜଧାନୀ ଏବେ ଉତ୍ସବରମୁଖର ହୋଇ ଉଠିଛି। ଏ ସବୁକୁ ଧ୍ୟାନରେ ରଖି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ କ୍ରୁଟ୍ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଏଣୁ ଅଧିକରୁ ଅଧିକ ଏଥିରେ ସାମିଲ ହୋଇ ନିଆରା ଅନୁଭବ ପାଆନ୍ତୁ ବୋଲି କ୍ରୁଟ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।