ଭୁବନେଶ୍ବର : ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ୧୦ଟି ‘ମୋ ଇ-ରାଇଡ୍’ ଅର୍ଥାତ୍ ଇଲେକ୍ଟ୍ରିକ୍ ଅଟୋ ପରିବହନ ସେବାକୁ ବେଶ୍ ସଫଳତା ମିଳିଛି। ସେଥିପାଇଁ ଚଳିତ ମାସ ଶେଷ ସୁଦ୍ଧା ଆଉ ୪୦ଟି ଇ-ରିକ୍ସା ଚଳାଇବା ପାଇଁ କ୍ରୁଟ୍ ଯୋଜନା କରିଥିବା ଜଣାପଡ଼ିଛି। ଫଳରେ ମୋଟ୍ ୫୦ଟି ଇ-ରିକ୍ସା ପାଇଁ ରୁଟ୍ ଚିହ୍ନଟ କରାଯାଉଛି। ଏହି ରିକ୍ସାକୁ ମହିଳା ଓ କିନ୍ନରମାନଙ୍କୁ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏଣୁ ଏହି ଇ-ରିକ୍ସାର ସୁଯୋଗ ନେବାକୁ କ୍ରୁଟ୍ ପକ୍ଷରୁ କୁହାଯାଇଛି।
ସାଧାରଣ ପରିବହନ ବ୍ୟବସ୍ଥାକୁ ଜନାଦୃତ କରିବା ପାଇଁ କ୍ରୁଟ୍ ‘ମୋ ବସ୍’ ବ୍ୟବସ୍ଥା କରିଥିଲା। ଲୋକମାନେ ନିଜ ଗାଡ଼ି ବ୍ୟବହାର କରିବେ ନାହିଁ। ଘରୁ ବାହାରିବା ମାତ୍ରେ ‘ମୋ ବସ୍’ରେ ଚଢ଼ିବେ ଓ ଗନ୍ତବ୍ୟ ସ୍ଥଳକୁ ଯିବେ। ଅର୍ଥାତ୍ ନିଜ ଗାଡ଼ି ଛାଡ଼ି ସାଧାରଣ ପରିବହନ ବ୍ୟବସ୍ଥାକୁ ଜନସାଧାରଣ ଆପଣାଇବେ। ହେଲେ ‘ମୋ ବସ୍’ କେବଳ ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ଗଳିରେ ପଶି ପାରିଲା ନାହିଁ। ଏଣୁ ଏଭଳି ଇ-ରିକ୍ସାର ପରିକଳ୍ପନା କରାଗଲା। ଲୋକମାନେ ଘରୁ ‘ମୋ ବସ୍’ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବା ଓ ମୋ’ ବସ୍ରୁ ଓହ୍ଲାଇ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଏହି ଇ-ରିକ୍ସା ବ୍ୟବହାର କରିବାକୁ ଯୋଜନା ହୋଇଥିଲା। ଗତ ଏପ୍ରିଲରେ ପରୀକ୍ଷାମୂଳକ ଭାବେ ୪ଟି ରୁଟ୍ରେ ୧୦ଟି ଇ-ରିକ୍ସା ଚଳାଚଳ କରିଥିଲା। ନିର୍ଦ୍ଦିଷ୍ଟ ରୁଟ୍ରେ ଯେଉଁ ସ୍ଥାନକୁ ଗଲେ ବି ୧୦ଟଙ୍କା ଦେବାକୁ ପଡ଼ୁଥିଲା। ଏହାକୁ ଲୋକମାନେ ବେଶ୍ ପସନ୍ଦ କରିବାରୁ ଆଉ ୪୦ ଅଟୋ ବା ସମୁଦାୟ ୫୦ଅଟୋ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଏହି ୫୦ ଅଟୋ ଚଳାଇବା ପାଇଁ ମହିଳା ଓ କିନ୍ନରଙ୍କୁ ଥିଓରି ସହିତ ପ୍ରାକ୍ଟିକାଲ ପ୍ରଶିକ୍ଷଣ ଦିଆଯାଇଛି। ମହିଳା ଓ କିନ୍ନରମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରାଇବା ପାଇଁ ଏଭଳି ଯୋଜନା ହୋଇଥିବା କ୍ରୁଟ୍ କହିଛି।
ତେବେ ଏହି ଯୋଜନା କେତେ ଦୂର ସଫଳ ହେବ, ସେନେଇ ଆଶଙ୍କା ପ୍ରକାଶ ପାଇଛି। ବର୍ତ୍ତମାନ ଭୁବନେଶ୍ବରରେ ପାଖାପାଖି ୩୦ହଜାର ଅଟୋ ଚାଲୁଛି। ତା’ ସତ୍ତ୍ବେ ସହର କଳେବର ବଢ଼ି ଚାଲୁଥିବାରୁ ଶହ ଶହ ଅପହଞ୍ଚ ରୁଟ୍ ରହିଛି, ଯେଉଁଠି ଲୋକମାନେ ଅଟୋ ସେବା ପାଉନାହାନ୍ତି। ସେହିଭଳି ୨ହଜାର ‘ମୋ ବସ୍’ ଚଳାଇବା ପାଇଁ ଯୋଜନା ଥିଲେ ମଧ୍ୟ ମଧ୍ୟ ମାତ୍ର ୨ଶହ ଚାଲୁଛି। ଫଳରେ ଦୈନିକ ଯାତ୍ରା କରୁଥିବା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବା ଓ ୫୦ଟି ଅଟୋରେ ତାଙ୍କୁ ଇ-ଅଟୋ ସେବା ଯୋଗାଇବା ଅସମ୍ଭବ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/e-rickshaw.jpg)