ପୁଣି ୫ କରୋନା ପଜିଟିଭ୍ ମୃତ, ବାଳକାଟି କୋଭିଡ୍ ହସ୍ପିଟାଲର ତଦନ୍ତ ହେବ
ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୨୪ହଜାର ଟପିଲା
ବାଲିଅନ୍ତା: ବାଳକାଟିସ୍ଥିତ କୋଭିଡ୍ ହସ୍ପିଟାଲରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୫ ଜଣ ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେଣୁ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା ୭୦ ଟପିଛି। ପ୍ରତିଦିନ ଏଠାରେ ରୋଗୀମାନେ ମୃତ୍ୟୁବରଣ କରୁଥିବାରୁ ଏଠିକାର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁ ଦିନ ଚିକିତ୍ସା ଅବହେଳା ଅଭିଯୋଗ କରି ଲୋକେ ଗଣ୍ଡଗୋଳ କରୁଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ଏଭଳି ଅଭିଯୋଗକୁ ଗୁରୁତ୍ବର ସହ ନେଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କମିଟି ଏହି ଅଭିଯୋଗକୁ ନେଇ ତଦନ୍ତ କରିବ ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। କୋଭିଡ୍ ହସ୍ପିଟାଲ ତଦାରଖ ଦାୟିତ୍ବରେ ଥିବା ଉଭୟ ବାଲିପାଟଣା ଓ ବାଲିଅନ୍ତା ତହସିଲଦାର ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାନୁସାରେ ଅକ୍ସିଜେନ ଗାଡ଼ି ପହଞ୍ଚିବାରେ ବିଳମ୍ବ ଯୋଗୁ ୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏନେଇ ଡାକ୍ତରଖାନା ପରିସରରେ ମୃତକଙ୍କ ସଂପର୍କୀୟମାନେ ତୁମୁଳକାଣ୍ଡ ଭିଆଇଥିଲେ। ଏହି ଅଭିଯୋଗ ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ଚର୍ଚ୍ଚା ହେଉଛି। ହସ୍ପିଟାଲ ଖୋଲିବାଠାରୁ ଜିଲ୍ଲା ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ଏଠାକୁ ପରିଦର୍ଶନରେ ଆସିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀଙ୍କ ଅଙ୍କୁଶ ରହୁନଥିବାରୁ ରୋଗୀ ସେବାରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। ଗତକାଲି ଭଳି ଆଜି ପୁଣି ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ବର: ରାଜଧାନୀରେ ଧୀରେ ଧୀରେ ସଂକ୍ରମଣ ଆଗକୁ ବଢ଼ୁଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୪ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ୩୧୪ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସଂଖ୍ୟା ୨୪,୨୨୮ରେ ପହଞ୍ଚିଛି। ଭୁବନେଶ୍ବରରେ ଗତ ମାସଠାରୁ ଦୈନିକ ୩ଶହ ସଂକ୍ରମଣ ଧାରା ଜାରି ରହିଛି। ଦିନକରେ ଚିହ୍ନଟ ୩୧୪ ରୋଗୀଙ୍କ ମଧ୍ୟରୁ ୮୪ଜଣ ସଙ୍ଗରୋଧରୁ ଓ ୨୩୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ପୁରୁଣା ଭୁବନେଶ୍ବରରୁ ସର୍ବାଧିକ ୧୫ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଝାରପଡ଼ାରୁ ୧୨, ୟୁନିଟ୍-୬ରୁ ୧୦,ଟଙ୍କପାଣି ରୋଡ୍, ସୁନ୍ଦରପଦା, ଜୟଦୁର୍ଗା ନଗର, ଜଗନ୍ନାଥ ନଗର, ଜାଗମରା, ସତ୍ୟ ନଗର, ଚନ୍ଦ୍ରଶେଖରପୁର, ବମିଖାଲା, ଶକ୍ତି ନଗର, ରସୁଲଗଡ଼, ପଟିଆ, ପଞ୍ଚଶଖା ନଗର ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ଶୈଳଶ୍ରୀ ବିହାରରୁ ୧୧, ପଟିଆରୁ ୮, ପୁରୁଣା ଭୁବନେଶ୍ବର ୫, ନିଳାଦ୍ରୀ ବିହାର, ପାହାଳ, ବାପୁଜୀ ନଗର, ଅଶୋକ ନଗର, ଆଚାର୍ଯ୍ୟ ବିହାର, ଗଣ୍ଡମୁଣ୍ଡା, ଆଇଆରସି ଭିଲେଜ, ମଧୁସୂଦନ ନଗର, କଳିଙ୍ଗ ବିହାର, ୟୁନିଟ୍-୧, ୨, ୩, ୪ ଓ ୬ରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଗତ ୨୪ଘଣ୍ଟାରେ ୩୫୪ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୦,୫୭୧କୁ ବୃଦ୍ଧି ପାଇଛି। ଅପରପକ୍ଷରେର ଏବେ ୩୫୩୧ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୦୫ କରୋନା ରୋଗୀ ପ୍ରାଣ ହରାଇଛନ୍ତି।