ପଦାକୁ ଆସିଲା ସାଇବର ଠକଙ୍କ ଆଉ ଏକ କାରନାମା, ୫ ଶହରୁ ଅଧିକ ଠକାମିର ଶିକାର

୩୦ ମିନିଟରେ ୩ ହଜାର ରୋଜଗାର ଲୋଭ ଦେଖାଇ ଲୁଟିଛନ୍ତି, ଫେସବୁକ, ୟୁଟ୍ୟୁବ୍ ପୋଷ୍ଟ ଲାଇକ୍ ନାଁରେ ଠକେଇ

ଭୁବନେଶ୍ବର,୧/୩(ଇମିସ): ସାରା ରାଜ୍ୟରେ ଜାଲ ବିଛାଇଛନ୍ତି ସାଇବର ଠକ। ନୂଆ ନୂଆ ତରିକାରେ ଠକେଇ କରି ଚାଲିଛନ୍ତି। କେତେବେଳେ ରୋଜଗାର ତ ଆଉ କେତେବେଳେ ଟଙ୍କା ଲୋଭ ଦେଖାଇ ଲୁଟୁଛନ୍ତି। ଏବେ ଆଉ ଏକ ସାଂଘାତିକ ଠକେଇ ସାମ୍ନାକୁ ଆସିଛି। ଘରେ ବସି ମାତ୍ର କେଇ ମିନିଟ୍ ମଧ୍ୟରେ ହଜାର ହଜାର ଟଙ୍କା ରୋଜଗାରର ଲୋଭ ଦେଖାଇ ଲକ୍ଷଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଠକ। ଠକାମିର ଶିକାର ହୋଇଥିବା କେତେକ ଯୁବକ ଏ ସଂକ୍ରାନ୍ତରେ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି। ସାରା ରାଜ୍ୟରୁ ପ୍ରାୟ ୫ ଶହରୁ ଅଧିକ ବେକାର ଯୁବକଯୁବତୀମାନେ ଏହି ଠକାମିର ଶିକାର ହୋଇଥିବା ଜଣାପଡିଛି। ଅଭିଯୋଗ ମିଳିବା ପରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ, ଲକଡାଉନ୍ ପରେ ବେକାରୀ ସମସ୍ୟା ସାଂଘାତିକ ହୋଇଛି। ଏହି ସୁଯୋଗରେ କମ୍ ସମୟ ମଧ୍ୟରେ ଅଧିକ ରୋଜଗାରର ‌ଲୋଭ ଦେଖାଇ ଜାଲ ବିଛାଇଛନ୍ତି ସାଇବର ଠକ। ଫେସବୁକ୍, ୟୁଟ୍ୟୁବ୍, ଇନ୍‌ଷ୍ଟାଗ୍ରାମରେ କେତେକ ନିର୍ଦ୍ଦିଷ୍ଟ ପୋଷ୍ଟରେ ଲାଇକ୍ କରିବା ସହ ଫଲୋ କରିବାକୁ କୁହାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ଆପ୍ ମୋବାଇଲ ଫୋନରେ ଲୋଡ୍ କରିବାକୁ ପଡିବ। ୱେବସାଇଟ୍ ମାଧ୍ୟମରେ ବି ଏହି ସବୁ କାମ କରିହେବ। ଏଥିପାଇଁ ୩୦ ମିନିଟ୍ ଭିତରେ ପ୍ରାୟ ୩ ହଜାର ଟଙ୍କା ରୋଜଗାର କରିହେବ ବୋଲି ଲୋଭ ଦେଖାଉଛନ୍ତି ଠକ। ଆରମ୍ଭରୁ ସଦସ୍ୟ ହୋଇଥିବା କେତେକ ଲୋକଙ୍କ ପାଖକୁ ପ୍ରଥମେ ହଜାର ହଜାର ଟଙ୍କା ଆସୁଛି। ପରେ ସେମାନେ ଏହାକୁ ନିଜ ସାଙ୍ଗସାଥୀ, ସମ୍ପର୍କୀୟ ଓ ଚିହ୍ନାପରିଚିତଙ୍କୁ ଜଣାଇବା ସହ ଲିଙ୍କ୍ ପଠାଉଛନ୍ତି। ଯେଉଁମାନେ ଲୋଭରେ ପଡ଼ିଲେ ସେମାନେ ସଦସ୍ୟ ହେଉଛନ୍ତି। କିଛିଦିନ ଏଭଳି ଚାଲିବା ପରେ ଭିଆଇପି ଗ୍ରୁପର ସଦସ୍ୟ ହେବାକୁ ଲୋଭନୀୟ ଅଫର୍‌ ଆସେ। ଯଦି ଜଣେ ପୂ୍ର୍ବରୁ ଗୋଟିଏ ଲାଇକ୍ ପ୍ରତି ଟଙ୍କାଟିଏ ପାଉଛି ତାହେଲେ ଭିଆଇପି ଗ୍ରୁପର ସଦସ୍ୟ ହେଲେ ସେମାନଙ୍କୁ ଗୋଟିଏ ଲାଇକ୍ ପ୍ରତି ୫ରୁ ୧୦ ଟଙ୍କାର ଲୋଭ ଦେଖାଯାଉଛି।

ଏହି ଗ୍ରୁପର ସଦସ୍ୟ ହେବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଏ। କମ୍ ସମୟ ମଧ୍ୟରେ ଅଧିକ ଅର୍ଥ ରୋଜଗାର କରିବା ଆଶାରେ ଜଣେ ଟଙ୍କା ଦେଇଥାଏ। ପରେ କିନ୍ତୁ ଆଉ ଟଙ୍କା ମିଳେ ନାହିଁ। ଏହି ଠକେଇ ରାକେଟ୍‌ର ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଆକାଉଣ୍ଟ ରହିଛି। କୌଣସି କମ୍ପାନି ନୁହେଁ; ବରଂ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ରହିଛି। ସେହି ଆକାଉଣ୍ଟରେ ଟଙ୍କା ପହଞ୍ଚିଲା ପରେ ଠକ ନିଜ ଆକାଉଣ୍ଟକୁ ନେଇଯାଇଥାଏ। ଏମିତି ଲୋଭ ଦେଖାଇ ସାଇବର ଠକମାନେ ସାରା ଦେଶରୁ କୋଟି କୋଟି ଟଙ୍କା ଲୁଟୁଥିବା ଜଣାପଡିଛି। ଠକାମିର ଶିକାର ହେଉଥିବା ପିଲାମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଦେଇ ଠକାମିର ଶିକାର ହୋଇଛନ୍ତି।

ସାରା ଦେଶରେ ହଜାର ହଜାର ସଂଖ୍ୟାରେ ପିଲା ଠକାମିର ଶିକାର ହୋଇଛନ୍ତି। ଦେଢମାସ ତଳେ ଅର୍ଥାତ୍ ଜାନୁଆରି ୫ ତାରିଖରେ ଦିଲ୍ଲୀ ସାଇବର ପୁଲିସ ଏଭଳି ଠକେଇ କରୁଥିବା ବଫଧରଣର ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଥିଲା। ଗ୍ୟାଙ୍ଗର ୧୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ସେଥିରେ ଦୁଇଜଣ ଚାଇନା ସାଇବର ଅପରାଧୀ ଥିଲେ। ଚାଇନା ସାଇବର ଅପରାଧୀମାନେ ଏହି ଗ୍ୟାଙ୍ଗର ନେତୃତ୍ବ ନେଉଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେଣୁ ଓଡ଼ିଶାରେ ଏବେ ଯେଉଁ ଠକେଇ ସାମ୍ନାକୁ ଆସିଛି; ସେଥିରେ ଚାଇନିଜ୍ ସାଇବର ଠକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, ଯିଏ ଏହି ଭଳି ଲୋଭରେ ପଡ଼ିଲା ସିଏ ଠକାମିର ଶିକାର ହେବା ଥୟ। ତେଣୁ ଏଥିରୁ ଦୂରେଇ ରହିବାକୁ ପଡ଼ିବ। ଯେଉଁ ଆପ୍ ଲୋଡ୍‌ କରିବାକୁ କୁହାଯାଉଛି ତାହା ଅତ୍ୟନ୍ତ ମାରତ୍ମକ। ମୋବାଇଲ ଫୋନରେ ସେହି ଆପ୍ ଲୋଡ୍ କଲେ ସମସ୍ତ ତଥ୍ୟ ହ୍ୟାକ୍ ହୋଇଯିବ। ତେଣୁ ତଥ୍ୟ ଚୋରି ହେଲେ ଅଧିକ ଠକାମିର ଶିକାର ହେବା ମଧ୍ୟ ଆଶଙ୍କା ରହିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଠକଙ୍କୁ ଧରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଅବସରପ୍ରାପ୍ତ ବିଏସ୍‌ଏନ୍‌ଏଲ୍‌ ଡିଜିଏମ୍‌ଙ୍କୁ ଚୂନ ଲଗାଇଲେ ସାଇବର ଠକ, ପାନ୍ କାର୍ଡ ଯାଞ୍ଚ ନାଁରେ ଲୁଟିନେଲେ ୭୮ ହଜାର

ଭୁବନେଶ୍ବର: ସାଇବର ଲୁଟେରାଙ୍କ ଆତଙ୍କ ଜାରି ରହିଥିବା ବେଳେ ରାଜଧାନୀରେ ପ୍ରତିଦିନ କେହି ନା କେହି ଠକାମିର ଶିକାର ହେଉଛନ୍ତି। ଜଣେ ଅବସରପ୍ରାପ୍ତ ବିଏସଏନଏଲ ଡିଜିଏମ୍ ଏ. ଖାନ୍ ଠକଙ୍କ ଜାଲରେ ପଡ଼ି ୭୮ ହଜାର ଟଙ୍କା ହରାଇଛନ୍ତି। ଏ ନେଇ ସେ ଲଖ୍ମୀସାଗର ଥାନା, ସାଇବର ସେଲ ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ୨୫ ତାରିଖ ପୂର୍ବାହ୍ନରେ ଖାନଙ୍କ ନିକଟକୁ ଏକ ଫୋନ୍ କଲ(ନଂ ୭୪୩୯୦୯୪୪୪୭) ଆସିଥିଲା। ଠକ ନିଜକୁ ଷ୍ଟେଟ ବ୍ୟାଙ୍କ ସମ୍ବଲପୁର ମୁଖ୍ୟାଳୟର ଅଧିକାରୀ ବୋଲି ପରିଚୟ ଦେଇଥିଲା। ଏହାପରେ ତାଙ୍କୁ ତାଙ୍କ ପାନ୍ କାର୍ଡ ନମ୍ବର ଡାକି ଯାଞ୍ଚ କରିଥିଲା। ବ୍ୟାଙ୍କ ଆକାଉଣ୍ଟ ଅପଡେଟ୍ ନ କଲେ ଏହା ବନ୍ଦ ହୋଇଯିବ ବୋଲି ମଧ୍ୟ ଧମକ ଦେଇଥିଲା। ମୋବାଇଲକୁ ଯାଇଥିବା ଓଟିପି ଦେଲେ ଆପେ ଆପେ ଅପଡେଟ୍ ହୋଇଯିବ ବୋଲି କହିଥିଲା। ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବା ଶୁଣି ଖାନ ସେହି ଓଟିପି ନମ୍ବର ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ୩ଟି ପର୍ଯ୍ୟାୟରେ ଆକାଉଣ୍ଟରୁ ୭୮ ହଜାର ଟଙ୍କା କଟି ଯାଇଥିଲା। ମୋବାଇଲକୁ ମେସେଜ୍ ଆସିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ସେ। ଅଧ ଘଣ୍ଟାଏ ଭିତରେ ଏ ସଂକ୍ରାନ୍ତରେ ତୁରନ୍ତ ଲଖ୍ମୀସାଗର ଥାନା ଓ ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ। ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗୁଁ ଏହି ଠକେଇ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହା ପଛରେ ଝ‌ାଡଖଣ୍ଡ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର