ଭୁବନେଶ୍ବର,: ରାଜଧାନୀରେ ପୁଣି ଜଣେ ବିହାରୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ପଳାସୁଣୀ ମୁଣ୍ଡାସାହିରେ ରହୁଥିବା ମାନସ ଚୌଧୁରୀ(୩୦)। ବିଏମ୍ସିର ନିର୍ମାଣାଧୀନ ଆବର୍ଜନା ପ୍ଲାଣ୍ଟରେ ତାଙ୍କୁ କିଛି ସାଙ୍ଗ ମଦ ପିଇବା ବେଳେ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସହିଦନଗରରେ ରହୁଥିବା ବିହାରୀ ମିସ୍ତ୍ରି ଆଜାଦ୍ ଯାଦବ(୨୬)ଙ୍କୁ ଛଳନାରେ କଟକ ଡକାଇ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଗତକାଲି ବିଳମ୍ବିତ ରାତିରେ ପଳାସୁଣୀରେ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚୋରି ମାମଲାରେ ଦୁଇ ବର୍ଷ ଜେଲ୍ରେ ରହି ୪ ଦିନ ପୂର୍ବେ ଜାମିନ୍ରେ ଆସିଥିବା ମାନସକୁ ସ୍ଥାନୀୟ ତିନି ଯୁବକ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଉକ୍ତ ୩ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଶୁକ୍ରବାର ଦିନ କିଛି ଶ୍ରମିକ ଉକ୍ତ ଆବର୍ଜନା ପ୍ଲାଣ୍ଟକୁ କାମ କରିବାକୁ ଯାଇଥିଲେ। ଇଟା ଗଦା ଭିତରୁ ଏକ ହାତ ପଦାକୁ ବାହାରିଥିବା ଦେଖି ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଇଟା ଗଦା ଭିତରେ କାହାର ମୃତଦେହ ଲୁଚାଇ ରଖାଯାଇଥିବା ନେଇ ସେମାନେ ମଞ୍ଚେଶ୍ବର ଥାନାକୁ ଜଣାଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଇଟା ବାହାର କରିବା ପରେ ଭିତରୁ ମାନସର ମୃତଦେହ ମିଳିଥିଲା। ତା’ ମୁଣ୍ଡକୁ ଛେଚି ଦିଆଯାଇଥିବା ଦେଖାଯାଇଥିଲା। ନିକଟରେ ଖୋଜାଖୋଜି କରିବା ପରେ ପୁଲିସ ଏକ ରକ୍ତଭିଜା ଇଟା ପାଇଥିଲା।
ସେହିଭଳି କିଛି ଦୂରରେ ମଦ ବୋତଲ, ପାଉଁରୁଟି ଆଦି କିଛି ପଦାର୍ଥ ପୁଲିସ ଜବତ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲା ଓ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ରକ୍ତ ଭିଜା ଇଟା ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ନିଶ୍ଚିତ ହୋଇଛି। ତାକୁ ମଦ ପିଆଇ ପ୍ରବଳ ନିଶାଗ୍ରସ୍ତ କରିବା ପରେ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି ବୋଲି ପ୍ରମାଣ ମିଳିଛି। ତେଣୁ ତା’ ସହିତ କେଉଁମାନେ ମଦ ପିଇଥିଲେ, ସେମାନଙ୍କୁ ଠାବ କରିବା ପାଇଁ ଖୋଳତାଡ୍ ଆରମ୍ଭ କରିଥିଲା। ଆଖାପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ନମ୍ବରଗୁଡ଼ିକୁ ପୁଲିସ ଯାଞ୍ଚ କରୁଛି। ମାନସକୁ କିଏ କିଏ କଲ୍ କରିଥିଲେ, ପୁଲିସ ମାନସର କଲ୍ ରେକର୍ଡରୁ ଖୋଜୁଛି। କିନ୍ତୁ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ପୁଲିସ ୩ ସନ୍ଦିଗ୍ଧଙ୍କୁ ଉଠାଇଛି।
ମାନସ ମୁଣ୍ଡାସାହି ବସ୍ତିରେ ରହି ଶ୍ରମିକଭାବେ କାମ କରୁଥିଲା। କିନ୍ତୁ ସେ ଚୋରି କରିବା ସହ ଛୋଟମୋଟ ଗଣ୍ଡଗୋଳ ବି କରୁଥିଲା। ୨୦୧୯ ମସିହାରେ ସେ ମଞ୍ଚେଶ୍ବର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଚୋରି କରିଥିଲା। ଏହି ମାମଲାରେ ଗିରଫ ହୋଇ ସେ ଜେଲ୍ରେ ଥିଲା। ୪ଦିନ ତଳେ ସେ ଜାମିନ୍ରେ ଆସିଥିଲା। ଜାମିନ୍ରେ ଆସିବା ପରେ ପୂର୍ବପରି ସ୍ଥାନୀୟ ଅଞ୍ଚଳରେ ନିଜର ଦବ୍ଦବା ଦେଖାଇବାକୁ ଯାଇ ଗଣ୍ଡଗୋଳ କରିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ତା’ର ବଚସା ହୋଇଥିଲା। ତେଣୁ ଅନୁମାନ କରାଯାଉଛି କି ଯୋଜନାବଦ୍ଧ ଭାବେ କେହି ତାକୁ ଗୁରୁବାର ରାତିରେ ନିର୍ମାଣାଧୀନ ଆବର୍ଜନା ପ୍ଲାଣ୍ଟ ଭିତରକୁ ଡାକି ନେଇ ମଦ ପିଆଇଥିଲେ। ମାନସ ନିଶାରେ ଚୁର୍ ହେବା ପରେ ସୁଯୋଗ ଦେଖି ତା’ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଥିଲେ।