ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସଏସସି) ସଦସ୍ୟଙ୍କ ପିଏ ବିରଞ୍ଚି ସାହୁଙ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଜଣେ ବିରଞ୍ଚିଙ୍କ କାରନାମା ପଦାକୁ ଆସିଛି। ଗୋଟିଏ କି ଦୁଇଟି ଠକେଇରେ ସୀମିତ ନୁହେଁ, ବରଂ ଏକାଧିକ ସଂସ୍ଥା ଥିବା କହି କୋଟି କୋଟି ଟଙ୍କା ଠକେଇ କରିଛି। ଆସାମ ସରକାରଙ୍କୁ ବି ଠକେଇ ଉଦ୍ୟମ କରିବାକୁ ପଛାଇ ନାହିଁ। ଓଡ଼ିଶା ସମେତ ଏକାଧିକ ରାଜ୍ୟକୁ ଲମ୍ବିଛି ତା’ ଠକେଇର ଚେର। ଏପରି ଏକ ହାଇପ୍ରୋଫାଇଲ ଠକ ଧରାପଡ଼ିଛି କମିସନରେଟ ପୁଲିସ ହାତରେ। ଅପହରଣ ମାମଲାର ତଦନ୍ତ କରୁକରୁ ଠକେଇ ମାମଲାର ଫର୍ଦ୍ଦାଫାସ୍ କରିଛି ଭରତପୁର ଥାନା ପୁଲିସ। କୋଳଥିଆ ଅଞ୍ଚଳର ବିରଞ୍ଚି ନାରାୟଣ ଆଚାର୍ଯ୍ୟକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି।
କୋଭିଡ୍ ସମୟରେ କରୋନା ମୁକାବିଲାକୁ ସରକାର ଗୁରୁତ୍ବ ଦେଉଥିବାରୁ ଏହାକୁ ଅସ୍ତ୍ର କରିଥିଲା ବିରଞ୍ଚି। ନୂଆଦିଲ୍ଲୀରେ ଏଟିପିଏଲ୍ ନାମକ ଏକ ସଂସ୍ଥା ଖୋଲିଥିଲା। କୋଭିଡ୍ ପରିଚାଳନାରେ ନିଜ ସଂସ୍ଥା ନାଁରେ କେନ୍ଦ୍ର ସରକାରଙ୍କଠାରୁ ସାର୍ଟିଫିକେଟ୍ ପାଇଥିବା ନେଇ ଜାଲ୍ ଚିଠି ମଧ୍ୟ ତିଆରି କରିଥିଲା। ଏହାରି ବଳରେ ଆସାମ ସରକାରଙ୍କୁ ଚିଠି ଲେଖି ମାସ୍କ ଯୋଗାଇବାକୁ ଆଗ୍ରହୀ ଥିବା କହିଥିଲା। ଦିନକୁ ୯ ହଜାରରୁ ଅଧିକ ମାସ୍କ ଯୋଗାଇଦେବା ପାଇଁ ତା’ କମ୍ପାନି ସକ୍ଷମ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଏଥିପାଇଁ ଅଗ୍ରିମ ଟଙ୍କା ପୈଠ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ତେବେ ଏହି ଡିଲ୍ ଫାଇନାଲ୍ ହୋଇଥିଲା କି ନାହିଁ, ତାହା ଏଯାଏ ଜଣାପଡ଼ି ନାହିଁ। ବିରଞ୍ଚି ଘରୁ ଜବତ ହୋଇଥିବା ଚିଠିରୁ ଏହା ଜାଣିବାକୁ ପାଇଛି ପୁଲିସ। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଆସାମ ପୁଲିସକୁ ଚିଠି ଲେଖାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ସେହିପରି ବିହାରକୁ ମଧ୍ୟ ତା’ ଠକେଇର ଚେର ଲମ୍ବିଛି।
ଘରକୁ ଘର ବୁଲି ସାନିଟେସନ୍ କରିବା ପାଇଁ ଏକ କମ୍ପାନି ସହ ଚୁକ୍ତି କରିଥିଲା ବିରଞ୍ଚି। ଦିନକୁ ଶତାଧିକ ଘର ସାନିଟେସନ୍ କରିବାର କ୍ଷମତା ଥିବା କହିଥିଲା। ଏହାର ମଧ୍ୟ ଏକ ଚିଠି ତଦନ୍ତକାରୀ ପୁଲିସ ହାତରେ ଲାଗିଛି। ଏହି ଡିଲ୍ ଫାଇନାଲ୍ ହୋଇଛି କି ନାହିଁ, ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଠକେଇ ହୋଇଥିବା ସନ୍ଦେହ କରାଯାଉଛି। ସେହିପରି ନିଜର ଏନ୍ଜିଓ ଦ୍ବାରା ବିଭିନ୍ନ ଅଞ୍ଚଳ ବୁଲି ସର୍ଭେ କରିବା ନାଁରେ ପିଲାଙ୍କୁ ଜାଲ୍ ନିଯୁକ୍ତି ଦେଉଥିଲା। ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲା। ବିରଞ୍ଚିର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ପୁଲିସ ଅଚଳ କରିଛି। ଗୋଟିଏ ଆକାଉଣ୍ଟରେ ୮୦ ହଜାର ଟଙ୍କା ଥିବା ଜଣାପଡ଼ିଛି।
ଭରତପୁର ଥାନାରେ ଖରାଖିଆ ବୈଦ୍ୟନାଥ ସାହିର ପଦ୍ମଲୋଚନ ମହାନ୍ତି ତା’ ନାମରେ ଅଭିଯୋଗ କରିଥିଲେ। ଟାଵାର ବସାଇବା ନାଁରେ ଡକୁମେଣ୍ଟେସନ୍ କରାଇବାକୁ କହି ବିରଞ୍ଚି ତାଙ୍କଠାରୁ ପ୍ରଥମେ ଲକ୍ଷେ ଟଙ୍କା ଏବଂ ପରେ ଅଢ଼େଇ ଲକ୍ଷଟଙ୍କା ହଡ଼ପ କରିଥିଲା। ଖାଲି ଏତିକି ନୁହେଁ, ଭରତପୁର ଜଣେ ବ୍ୟକ୍ତିଙ୍କଠାରୁ ମଧ୍ୟ ସାନିଟେସନ୍ ବାବଦକୁ ୪ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି। ଦୁଇଟି ଅଭିଯୋଗକୁ ଆଧାର କରି ପୁଲିସ ବିରଞ୍ଚିକୁ ଗିରଫ କରିଥିବା ବେଳେ ଅପହରଣକାରୀଙ୍କଠାରୁ ବିରଞ୍ଚି ୭ଲକ୍ଷ ଟଙ୍କା ଚାକିରି କରାଇବାକୁ ନେଇଥିଲା। ଚାକିରି ନ କରାଇପାରିବାରୁ ଅପହରଣକାରୀମାନେ ତାଙ୍କୁ ଟଙ୍କା ମାଗିଥିଲେ ଏବଂ ପରେ ଅପହରଣ କରିଥିଲେ। ଠକେଇର ଗୁମର ଖୋଲିବା ପାଇଁ ପୁଲିସ ବିରଞ୍ଚିକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।
ମୋବାଇଲ ଟାଵାର ବସାଇବା ନାଁରେ ଠକୁଥିଲା
ମୋବାଇଲ ଫୋନ୍ ଟାଵାର ବସାଇବା ନାଁରେ ମଧ୍ୟ ବିରଞ୍ଚି ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ବିଶେଷକରି ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ ଭଳି ଉପାନ୍ତ ଅଞ୍ଚଳ ବେକାର ପିଲାଙ୍କୁ ସେ ଟାର୍ଗେଟ୍ କରୁଥିଲା। ନିଜ ଜମିରେ ଟାଵାର ବସାଇଲେ ମାସକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର ହେବ ବୋଲି କହୁଥିଲା। ଖାଲି ସେତିକି ନୁହେଁ, ସେହି ଟାଵାର ଜରିଆରେ ଯେଉଁ କଲ୍ ହେବ ତା’ ପାଇଁ ୧ରୁ ୨ଟଙ୍କା ମିଳିବ ବୋଲି ଲୋଭ ଦେଖାଉଥିଲା। ଏମିତି ଢଙ୍ଗରେ ଚାଲିଥିବା ଠକେଇର ପର୍ଦ୍ଦାଫାସ୍ କରିଛି ପୁଲିସ।
ନିଜକୁ ସଜାଇଥିଲା ମିଡିଲମ୍ୟାନ୍
ବିରଞ୍ଚି ନୂଆ ଢଙ୍ଗରେ ଠକେଇ କରୁଥିଲା। ନିଜକୁ ଦିଲ୍ଲୀର ଏକ କମ୍ପାନିର କର୍ମଚାରୀ ବୋଲି କହୁଥିଲା। ବିଭିନ୍ନ କାମ ଦେବ ବୋଲି କହି ବେକାର ଯୁବକଯୁବତୀଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ଯେତେବେଳେ ସେହି ପିଲାମାନଙ୍କୁ ଚାକିରି ମିଳୁ ନ ଥିଲା ଓ ସେମାନେ ଟଙ୍କା ଫେରସ୍ତ ପାଇଁ ଆସୁଥିଲେ, ବିରଞ୍ଚି ନିଜକୁ ମିଡିଲମ୍ୟାନ୍ ବୋଲି କହୁଥିଲା। ତାକୁ ମଧ୍ୟ କମ୍ପାନି ଠକି ଦେଇଥିବା କହି ସେ ପିଲାମାନଙ୍କୁ ଭୂତାଉଥିଲା। ଏପରି ଢଙ୍ଗରେ ବହୁ ଦିନ ହେଲା ଠକି ଚାଲିଥିଲା ବିରଞ୍ଚି।
ବିରଞ୍ଚିର ସମ୍ଭ୍ରାନ୍ତ ପରିବାର
ପୁଲିସ ସୂଚନା ଅନୁସାରେ, ବିରଞ୍ଚିର ପରିବାର ସମ୍ଭ୍ରାନ୍ତ ଶ୍ରେଣୀର। ତା’ ବାପା ଜଣେ ଡାକ୍ତର। ଭାଇ କତାରରେ ଏକ ଉଚ୍ଚ ପଦବିରେ ଅଛନ୍ତି। ବିରଞ୍ଚି ମଧ୍ୟ ଉଚ୍ଚଶିକ୍ଷିତ। କିନ୍ତୁ ପାଲଟି ଯାଇଥିଲା କୁଖ୍ୟାତ ଠକ। ବହୁ ବର୍ଷ ଧରି ଠକି ଚାଲିଥିଲା। ବିରଞ୍ଚି କାରାନାମା ପଦାକୁ ଆସିବା ପରେ ଠକେଇ ସଂଖ୍ୟା ଆହୁରି ବଢ଼ିବ ବୋଲି କହିଛି ପୁଲିସ।
ରାଜନେତାଙ୍କ ଲିଙ୍କ୍ରେ ବିରଞ୍ଚି!
ଜଣେ ଜଣାଶୁଣା ରାଜନେତାଙ୍କର ଲିଙ୍କରେ ବିରଞ୍ଚି ରହିଥିବା କୁହାଯାଉଛି। ବିରଞ୍ଚି ସେହି ରାଜନେତାଙ୍କ ଜରିଆରେ ମଧ୍ୟ କିଛି କାମ ହାସଲ କରିଛି। ଏ ସମ୍ପର୍କରେ ପୁଲିସ ପାଖରେ ମଧ୍ୟ ଖବର ପହଞ୍ଚିଛି।