କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ରୋଗୀ ପଜିଟିଭ୍

ବାରଙ୍ଗରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆ‌ଜି ସଂଧ୍ୟାରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ସଂପୃକ୍ତ ମହିଳାଙ୍କର କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତାହାର ତାଲିକା ପ୍ରସ୍ତୁତ ଜାରି ରହିଛି। ଆସନ୍ତାକାଲି ଏ ସଂପର୍କରେ ବିଏମ୍‌ସି ପକ୍ଷରୁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରେ ୩ଜଣ ନର୍ସ ରହିଥିବା ବେଳେ ୫ଜଣ ରୋଗୀ ରହିଛନ୍ତି। ତେବେ ହସ୍ପିଟାଲରେ ଆଡମିସନ୍ ପୂର୍ବରୁ ରୋଗୀଙ୍କୁ ପରୀକ୍ଷା କରିବା ଲାଗି ରାପିଡ୍ ଆଣ୍ଟିଜେନ୍ କିଟ୍ ଯୋଗାଇ ଦିଆଯାଇଛି। ଗତକାଲି ହସ୍ପିଟାଲକୁ ୫ଶହ କିଟ୍ ଆସିଛି। ଏଥିଲାଗି କର୍ମଚାରୀଙ୍କ ତାଲିମ ଜାରି ରହିଛି। ରାପିଡ୍‌ ଆଣ୍ଟିଜେନ୍ କିଟ୍ ପାଇଁ ଅନୁମତି ମିଳି ନ ଥିବାରୁ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହୋଇନାହିଁ। ଅନମୁତି ମିଳିବା ପରେ ସମ୍ଭବତଃ ଆସନ୍ତା ମଙ୍ଗଳବାରଠାରୁ ଏହି ପରୀକ୍ଷା ଆରମ୍ଭ ହେବ ବୋଲି ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ତେବେ ରୋଗୀଙ୍କ ବଦଳରେ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ରାପିଡ୍‌ ଆଣ୍ଟିଜେନ୍ କିଟ୍ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ। ଆବଶ୍ୟକ ସଂଖ୍ୟକ କିଟ୍‌ର ଅଭାବ ସହିତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେ ପଜିଟିଭ୍ ଅଛନ୍ତି କି ନାହିଁ ତାହାକୁ ସ୍ଥିର କରିବା ଲାଗି କିଟ୍‌ରେ ପରୀକ୍ଷା ହେବ ବୋଲି ଡା.ସାହୁ କହିଛନ୍ତି।

ବାରଙ୍ଗରେ ପ୍ରଥମ କରୋନା ମୃତ୍ୟୁ
ବାରଙ୍ଗ : କରୋନାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବାରଙ୍ଗରେ କୋକୁଆଭୟ ଖେଳି ଯାଇଛି। ମୃତକ ହେଉଛନ୍ତି ବାରଙ୍ଗ ବ୍ଲକ ଅଞ୍ଚଳର ଜଣେ ୨୮ ବର୍ଷିୟ ଯୁବକ। ସୂଚନାନୁସାରେ ମୃତକ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାର ଗାଡ଼ି ଚାଳକ ଭାବେ କାମ କରୁଥିଲେ। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ବରରସ୍ଥିତ ଏକ କୋଭିଡ୍‌ ଡାକ୍ତରଖା‌ନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ‌ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ବିଡିଓ ପ୍ରଭାକର ପଣ୍ଡା ଓ ଦାଢାପାଟଣା ସରପଞ୍ଚ ସ୍ବର୍ଣ୍ଣଲତା ବିଶ୍ବାଳ ଦାଢାପାଟଣା ଗ୍ରାମକୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସିଲ୍‌ କରିଛନ୍ତି। ପୁରା ଦାଢାପାଟଣା ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର