କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ପଜିଟିଭ୍

ଅଧିକ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଦେବାକୁ ଚିଠି ଲେଖିଲେ କର୍ତୃପକ୍ଷ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଆଜି ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକ‌ାଲି ହସ୍ପିଟାଲରୁ ୪ଜଣ ପଜିଟିଭ୍ ବାହାରିଥିବା ବେଳେ ତାଙ୍କ ସଂସ୍ପର୍ଶରେ ସଂପୃକ୍ତ ବ୍ୟକ୍ତି ଜଣକ ଆସିଥିବା କୁହାଯାଉଛି। ଯାହାଫଳରେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରୁ ଅଧିକ ହୋଇଛି। ତେବେ ହସ୍ପିଟାଲରେ ଆଜି ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷରେ ଗତକାଲି ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ ଓ ଆଜି ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ନ ଥିବା ଜଣାପଡ଼ିଛି। ସେମାନେ ହସ୍ପିଟାଲ ପଛପଟେ ଥିବା ଏକ ଘ‌ରେ ରହିଛନ୍ତି। ଆଜି କ୍ୟପିଟାଲ ହସ୍ପିଟାଲରେ ଟ୍ରୁନାଟ୍‌ରେ ପରୀକ୍ଷା ଆରମ୍ଭ ହୋଇଛି। ଏଥିରେ ୧୦ଜଣଙ୍କ ପରୀକ୍ଷା ‌ହୋଇଥିବା ବେଳେ ସମସ୍ତଙ୍କ ନମୁନା ନେଗେଟିଭ୍ ରହିଥିବା ଜଣାପଡ଼ିଛି। ଏହାସହ କ୍ୟାପିଟାଲ ହସ୍ପିଟାଲକୁ ଅଧିକ ସଂଖ୍ୟାରେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଯୋଗାଇ ଦେବାକୁ ହସ୍ପିଟାଲ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ହସ୍ପିଟାଲକୁ ୫ଶହ କିଟ୍‌ ଯୋଗାଇ ଦିଆଯାଇଥିବା ବେ‌ଳେ ତହିଁରୁ ୪୭୫ କିଟ୍‌ ବ୍ୟବହାର ହୋଇସାରିଛି। ତେଣୁ ଆଉ କିଟ୍‌ ଦିଆଗଲେ ରୋଗୀମାନଙ୍କ ସହିତ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପରୀକ୍ଷା କରାଯିବ ବୋଲି କର୍ତୃପକ୍ଷ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର